ପରଟାରେ ଦିଶିଲେ ମହାପ୍ରଭୁ
ଭଦ୍ରକ: ପରଟାରେ ଦେଖାଗଲେ ସ୍ବୟଂ ଜଗନ୍ନାଥ । କଥାଟି ଶୁଣିବାକୁ ବିଶ୍ବାସ ନହେଲେ ବି ସତ । ଜଣେ ଗୃହିଣୀ ପରଟା କରୁଥିବା ସମୟରେ ଜଗନ୍ନାଥ ମହାପ୍ରଭୁଙ୍କ ଅବିକଳ ଚିତ୍ର ଦେଖିଛନ୍ତି । କଥାରେ ଅଛି ଭକ୍ତି ଥିଲେ ଭଗବାନଙ୍କ ଦର୍ଶନ ମିଳିଥାଏ । ବେଳେ ବେଳେ ଭଗବାନ ଭକ୍ତଙ୍କର ପ୍ରେମରେ ବାୟା ହୋଇ ବିଭିନ୍ନ ରୂପରେ, ବିଭିନ୍ନ ସମୟରେ ଦର୍ଶନ ଦେଇଥାନ୍ତି । ଏପରି ବିରଳ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳରେ । ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ସୋସିଆଲ ମିଡିଆର ଭାଇରାଲ୍ ହେବାରେ ଲାଗିଛି ।
ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କଟସାହି ପଞ୍ଚାୟତ ଅନ୍ତର୍ଗତ ଇଟାପାଳ ଗ୍ରାମର ଯଦୁନାଥ ଜେନାଙ୍କ ବୋହୂ ମିଲିରାଣୀ ରାଉଳ ପରିବାର ଲୋକଙ୍କ ପାଇଁ ପରଟା ରୋଷେଇ କରୁଥିବା ସମୟରେ ପାଞ୍ଚଟି ପରଟା କରିସାରି ଛଅ ନମ୍ବର ପରଟା ଓଲଟାଇବା ବେଳେ ସ୍ବୟଂ ଜଗନ୍ନାଥଙ୍କ ଚିତ୍ର ଦେଖିବାକୁ ପାଇଥିଲେ । ଏହି ଦୃଶ୍ୟ ଦେଖି ମିଲିରାଣୀ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ପରଟାକୁ ନେଇ ପରିବାର ଲୋକଙ୍କୁ ଦେଖାଇଥିଲେ । ପରେ ସାହିପଡିଶା ମଧ୍ୟ ଦେଖିବାକୁ ଧାଇଁ ଆସିଥିଲେ । ଏହି କଥା ପ୍ରଘଟ ହେବା ପରେ ପରଟାରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ତାଙ୍କ ଘରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା ।
ପରଟାକୁ ଯଦୁନାଥଙ୍କ ପରିବାର ଲୋକେ ଶ୍ରଦ୍ଧା ଏବଂ ଭକ୍ତିର ସହିତ ଏକ କଂସା ଥାଳିରେ ରଖି ଧୂପ ଦୀପ ଅର୍ପଣ କରି ପୂଜାର୍ଚ୍ଚନା କରୁଛନ୍ତି । ତେବେ ବାହୁଡା ଯାତ୍ରା ମଧ୍ୟରେ ଏହିପରି ଏକ ବିରଳ ଘଟଣା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର ଲୀଳାର ଅନନ୍ୟ ନିଦର୍ଶନ ବୋଲି କହି ଦର୍ଶନ କରିଛନ୍ତି ସ୍ଥାନୀୟ ଲୋକେ । ଏହି ପରଟା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଇଟିଭି ଭାରତ, ଭଦ୍ରକ