ଭଗବାନଙ୍କ ଉପରେ ପ୍ରଗାଢ ବିଶ୍ବାସ, ମନବାଞ୍ଛା ପୂରଣ ପାଇଁ ରାସ୍ତାରେ ଗଡି ଗଡି ଆସିଲେ ଶ୍ରଦ୍ଧାଳୁ - ଶ୍ରୀ ବଳଦେବଜୀଉ ମନ୍ଦିର
କେନ୍ଦ୍ରାପଡା: ଭକ୍ତିରେ ଶକ୍ତି । ଟାଣିନେଉଛି ଭଗବାନଙ୍କ ଡୋରି । ମନବାଞ୍ଛା ପୂରଣ ପାଇଁ ହାତରେ ନଡିଆ ଧରି ଗଡି ଗଡି ଆସିଲେ ଶ୍ରଦ୍ଧାଳୁ । ଭଗବାନଙ୍କ ଉପରେ ପ୍ରଗାଢ ବିଶ୍ବାସ । ଭକ୍ତକୁ ଟାଣି ଆଣିଛି ଶ୍ରୀ ବଳଦେବଜୀଉ ମନ୍ଦିରକୁ । କେନ୍ଦ୍ରାପଡ଼ା ସହରର ସାନମଙ୍ଗଳାର ଭାରତୀ ଲେଙ୍କାଙ୍କୁ ସୋମବାର ଦିନ ସ୍ୱପ୍ନରେ ମହାପ୍ରଭୁ ବଳଦେବଜୀଉ ଦର୍ଶନ ଦେଇଥିଲେ ।
ନିଜର ମାନସିକ ଓ ମନବାଞ୍ଛା ପୂରଣ ପାଇଁ ଭାରତୀ କଠୋର ପରୀକ୍ଷା ଦିଅନ୍ତୁ ବୋଲି ସ୍ୱପ୍ନାଦେଶ ହୋଇଥିବା ବେଳେ ଗତକାଲି ସକାଳେ ଭାରତୀ ଏକଥା ପରିବାରବର୍ଗଙ୍କୁ ଜଣାଇଥିଲେ। ଏପଟେ ମଙ୍ଗଳବାର ଓଷା ରହିଥିବା ବେଳେ ସକାଳୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଓଷା କରି ମଧ୍ୟାହ୍ନରୁ ଭାରତୀ ଏକ ନଡିଆ ହାତରେ ଧରି ତତଲା ପିଚୁ ରାସ୍ତାରେ ଗଡ଼ିଗଡି ଯାଇ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ।
ମଙ୍ଗଳବାର କେନ୍ଦ୍ରାପଡ଼ା ଜିଲ୍ଲାରେ ବର୍ଷା ପରର ଅସମ୍ଭବ ଗୁଳୁଗୁଳି ଓ ଟାଣ ଖରା ଅନୁଭୂତ ହେଉଥିବା ବେଳେ ଭାରତୀ ଏସବୁକୁ ଖାତିର ନ କରି ପ୍ରଭୁ ଭକ୍ତିର ପରିଚୟ ଦେଇ ରାସ୍ତାରେ ଗଡିଗଡ଼ି ଯିବାକୁ ଭକ୍ତ ମହଲରେ ପ୍ରଶଂସା କରାଯାଇଛି । ସେହିପରି ଆଜି ମହାପ୍ରଭୁଙ୍କ ବାହୁଡା ଯାତ୍ରା ରହିଥିବା ବେଳେ ବିଜେ ମଣ୍ଡପରେ ବର୍ଷଯାକ ଦର୍ଶନ ଓ ଗୁଣ୍ଡିଚା ମନ୍ଦିରେ ଥରେ ଦର୍ଶନ କଲେ ମୋକ୍ଷ ପ୍ରାପ୍ତି ହେବାର ଲୋକକଥା ରହିଛି ।
ଇଟିଭି ଭାରତ, କେନ୍ଦ୍ରାପଡା