ପ୍ରଚଣ୍ଡ ତାତିରେ ଜଳୁଛି କଳାହାଣ୍ଡି, ଅସହ୍ୟ ଗରମରେ ଅସ୍ତବ୍ୟସ୍ତ ଜନଜୀବନ - ଅସହ୍ୟ ଗରମରେ ଅସ୍ତବ୍ୟସ୍ତ ଜନଜୀବନ
ଭବାନୀପାଟଣା: ତତଲା କଡେଇରେ ଭାଜି ହେଉଛି ଭବାନୀପାଟଣା ସହର । ଡ଼ହଡ଼ହ ଖରାରେ ସନ୍ତୁଳି ହେଉଛନ୍ତି ସହରବାସୀ । ଦିନ ୧୦ଟା ପରେ ଘରୁ ବାହାରିବା ଏକ ପ୍ରକାର ଅସମ୍ଭବ ହୋଇପଡିଛି । ଗ୍ରୀଷ୍ମମାସ ଆରମ୍ଭରୁ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଲାଣି । ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ପାର କରିଛି । ଝାଞ୍ଜି ପବନ ସାଙ୍ଗକୁ ଗୁଳଗୁଳିରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜୀବନ ଯାତ୍ରା । ଖରା ତାତିରୁ ରକ୍ଷା ପାଇବା ପାଇଁ କିଏ ମୁଣ୍ଡରେ ଟୋପି, ଗାମୁଛା ପିନ୍ଧିଛି ତ ଆଉ କାହାର ସାହା କଳା ଚଷମା । ଗତ କିଛି ଦିନ ହେଲା କଳାହାଣ୍ଡି ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ଟଣା ଖରାରେ ମନକୁ ଟିକିଏ ପୂର୍ତ୍ତୀ ଦେବା ସହିତ ଶରୀରକୁ ଆରାମ ଦେବା ପାଇଁ ଲସି ଓ ଆମ୍ୱରସ ଦୋକାନରେ ସଭିଙ୍କ ଭିଡ଼ ଜମୁଛି। ଲସି କିମ୍ୱା ଆମ୍ୱ ରସ ଟିକିଏ ପିଇ ଦେଇ ବେଶ ଆଶ୍ୱସ୍ଥ ଅନୁଭବ କରୁଛନ୍ତି ଲୋକେ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ପାନୀୟ ଜଳ ସମସ୍ୟାରେ ଉବୁଟୁବୁ ଜିଲ୍ଲାବାସୀ ।ତାପମାତ୍ରାର ଅହେତୁକ ଭାବେ ବୃଦ୍ଧି ସହ ବିଜୁଳି କାଟ ଜନ ଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି । ଦିନ ସମୟରେ ଯେଉଁମାନଙ୍କ କାମ ଅଛି ସେମାନେ ଛତା, ଟୋପି କିମ୍ୱା ମୁଣ୍ଡରେ ଗାମୁଛା ପକାଇ ଖରାକୁ ବାହାରୁଛନ୍ତି । ଦିନ ୧୦ ଟାରୁ ୫ଟା ପର୍ଯ୍ୟନ୍ତ ଜିଲ୍ଲାରେ ଅଧିକାଂଶ ଦୋକାନ ବଜାର ବନ୍ଦ ରହୁଥିବା ବେଳେ ରାସ୍ତାଘାଟ ଶୂନଶାନ ହୋଇଯାଉଛି । ସମସ୍ତ ପ୍ରକାର ଜରୁରୀକାଳୀନ ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ କଳାହାଣ୍ଡି ଜିଲ୍ଳା ପ୍ରଶାସନ ପ୍ରସ୍ତୁତ ରହିଥିବା ସୂଚନା ମିଳିଛି ।
ଇଟିଭି ଭାରତ, କଳାହାଣ୍ଡି