ଲୋକାର୍ପିତ ହେଲା ଝାରସୁଗୁଡା ବସଷ୍ଟାଣ୍ଡ, ଯାତ୍ରୀଙ୍କ ପାଇଁ ରହିଛି ଆଧୁନିକ ସୁବିଧା
ଝାରସୁଗୁଡା: ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି । ବହୁ ପ୍ରତୀକ୍ଷିତ ଝାରସୁଗୁଡା ବସଷ୍ଟାଣ୍ଡ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ, ବରଗଡ଼ ସାଂସଦ ସୁରେଶ ପୂଜାରୀ ଓ ଝାରସୁଗୁଡା ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ଯୋଗଦେଇଥିଲେ । ଲୋକଙ୍କ ସୁବିଧା ପାଇଁ ସହରର ବାଲିଜୋରି ନିକଟସ୍ଥ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିବା ରାସ୍ତାରେ ବସଷ୍ଟାଣ୍ଡ ନିର୍ମାଣ କରିବା ପାଇଁ ସ୍ଥିର ହୋଇଥିଲା । ପ୍ରାୟ ୭କୋଟି ୮୮ ଲକ୍ଷ ୧୦ହଜାର ଟଙ୍କା ବ୍ୟୟ ଅଟକଳରେ ୨୦୧୮ରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଠିକ୍ ଦୁଇ ବର୍ଷ ପରେ ୨୦୨୦ରେ ନିର୍ମାଣ ଶେଷ ହୋଇଥିଲା । ଏହାପରେ ରେଳବାଇ ଜମିରେ ଥିବା ପୁରୁଣା ବସଷ୍ଟାଣ୍ଡକୁ ଏଠାକୁ ସ୍ଥାନ୍ତାନ୍ତର କରିବା ପାଇଁ ନିଷ୍ପତ୍ତି ନିଯାଇଥିଲା ।
ବସଷ୍ଟାଣ୍ଡର ଶୁଭାରମ୍ଭ ଅବସରେରେ ବ୍ରଜରାଜନଗର ବିଧୟିକା ଅଳକା ମହାନ୍ତି, ଝାରସୁଗୁଡା ଜିଲ୍ଲାପାଳ ଆବୋଲି ସୁନୀଲ ନରୱଣେ, ଝାରସୁଗୁଡା ଏସପି ସ୍ମିତ ପି ପୁରୁଷୋତ୍ତମ ଦାସ, ଝାରସୁଗୁଡା ଆରଟିଓ ଦିନବନ୍ଧୁ ଶୁଣ୍ଢୀଙ୍କ ସହ ଜନପ୍ରତିନିଧି ଓ ଝାରସୁଗୁଡାବାସୀ ଉପସ୍ଥିତ ଥିଲେ l ମୁଖ୍ୟ ଅତିଥି ଫିତା କାଟି ପତାକା ଦେଖାଇ ବସ ଚଳାଚଳର ଶୁଭାରମ୍ଭ କରିଛନ୍ତି ।
ଇଟିଭି ଭାରତ, ଝାରସୁଗୁଡା