Jetpack ସୁଟ୍ ପ୍ରଦର୍ଶନ କଲା ଭାରତୀୟ ସେନା, ଦେଖନ୍ତୁ ଭିଡିଓ - ଜେଟପ୍ୟାକ୍ ସୁଟ୍
ନୂଆଦିଲ୍ଲୀ: ଦିନକୁ ଦିନ ଶକ୍ତିଶାଳୀ ହେଉଛି ଭାରତୀୟ ପ୍ରତିରକ୍ଷା ବିଭାଗ । ଭାରତର ଗୋଟିଏ ଆୱାଜ୍ରେ ଶତ୍ରୁପକ୍ଷ କିପରି ଥରହର ହେବ ସେଥିପାଇଁ ଭଳିକି ଭଳି ରଣନୀତି ଆପଣାଉଛନ୍ତି କେନ୍ଦ୍ର ସରକାର । ସମ୍ବେଦନଶୀଳ ସୀମା ଅଞ୍ଚଳରେ ଭାରତୀୟ ସେନାକୁ ଶକ୍ତିଶାଳୀ କରିବା ପାଇଁ ଆଧୁନିକ ଜ୍ଞାନକୌଶଳରେ ନିର୍ମିତ ଯୁଦ୍ଧାସ୍ତ୍ର କ୍ରୟ କରୁଛି ପ୍ରତିରକ୍ଷା ବିଭାଗ । ଏହିକ୍ରମରେ ଜେଟପ୍ୟାକ୍ ସୁଟ୍ର ଜରୁରୀକାଳୀନ କ୍ରୟ ଆରମ୍ଭ ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ 48ଟି ଜେଟପ୍ୟାକ୍ ସୁଟ୍ କିଣିଛି ପ୍ରତିରକ୍ଷା ବିଭାଗ । ଏହି ସୁଟ୍ କିଣାଯିବାର ସପ୍ତାହକ ପରେ, ଆଗ୍ରା ସ୍ଥିତ ଭାରତୀୟ ବାୟୁସେନା ତାଲିମ ବିଦ୍ୟାଳୟରେ ଏହି ଉପକରଣର ପ୍ରଦର୍ଶନ କରାଯାଇଛି । ଇଣ୍ଡିଆନ୍ ଏରୋସ୍ପେସ୍ ଡିଫେନ୍ସ ନ୍ୟୁଜ୍ ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି । ଇଣ୍ଡିଆନ୍ ଏରୋସ୍ପେସ୍ ଡିଫେନ୍ସ ନ୍ୟୁଜ୍ଜେଟପ୍ୟାକ୍ ସୁଟ୍ ପ୍ରଦର୍ଶନ ସମୟର ଭିଡିଓ ପୋଷ୍ଟ କରିଛି । ଏହି ଭିଡିଓ ଖୁବ୍ ଆକର୍ଷଣୀୟ ହୋଇଛି । ଏହି ସୁଟ୍ ସହାୟତାରେ ସୈନିକମାନେ ଜରୁରୀ ପରିସ୍ଥିତିରେ ବାୟୁରେ ଉଡିପାରିବେ । ଏଥିରେ ଡିଭାଇସ୍ ଖଞ୍ଜାଯାଇଛି । ଏହି ଡିଭାଇସ୍ ବାୟୁରେ ଉଡିବା ପାଇଁ ଗ୍ୟାସ୍ କିମ୍ବା ଲିକ୍ୟୁଇଡ୍ ଆବଶ୍ୟକ କରେ । ଏହା ମାଧ୍ୟମରେ ଯେକୌଣସି ପ୍ରକାର ସମ୍ବେଦନଶୀଳ ଅଞ୍ଚଳରେ ବାୟୁରେ ଉଡିପାରିବେ ସେନା କର୍ମଚାରୀ । ଚୀନ୍ ସହିତ ସୀମା ବିବାଦ ସମେତ ସମ୍ବେଦନଶୀଳ ସୀମା ଅଞ୍ଚଳରେ ଏହାର ସାମଗ୍ରିକ ତଦାରଖ ତଥା ଯୁଦ୍ଧ କ୍ଷମତାକୁ ଦୃଢ କରିବା ପାଇଁ ଭାରତୀୟ ସେନା ଜେଟପ୍ୟାକ୍ ସୁଟ୍ ଜରୁରୀକାଳୀନ କ୍ରୟ କରିଥିବା ଅଧିକାରୀମାନେ କହିଛନ୍ତି । ପାଟ୍ରୋଲିଂ ଏବଂ ସର୍ଭିଲାନ୍ସ ମିଶନ ପାଇଁ ଜେଟ୍ ସୁଟ୍ଗୁଡିକ ଆଦର୍ଶ ଭାବରେ ବିବେଚନା କରାଯାଏ ବୋଲି ନିର୍ମାତାମାନେ କହିଛନ୍ତି । ସେମାନେ କହିଛନ୍ତି ଯେ, "ଯେଉଁଠାରେ ଗାଡିକୁ ଅପେକ୍ଷା କରିବା ସମ୍ଭବ ନୁହେଁ ସେହି ପରିସ୍ଥିତିରେ ଏହି ସୁଟ୍ ବ୍ୟବହାର କରାଯାଇପାରିବ । ଏହା ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ପରିବର୍ତ୍ତନ ଆଣିପାରେ ।" ଏହାକୁ ଏକ ଗେମଚେଞ୍ଜର ଭାବରେ ବିବେଚନା କରାଯାଏ । ଏହା ମଧ୍ୟ ଯନ୍ତ୍ରପାତି ନେଇ 10 କିଲୋମିଟର ପର୍ଯ୍ୟନ୍ତ ଯାଇପାରେ ।