Hockey World Cup 2023: ୱେଲ୍ସ ବିପକ୍ଷରେ ଭଲ ବ୍ୟବଧାନରେ ଜିତିବାକୁ ହେବ କହିଲେ ଏକେ ବଂଶଲ - ଭାରତ ବନାମ ୱେଲ୍ସ
ରାଉରକେଲା: ରାଜ୍ୟରେ ଜାରି ରହିଛି ହକି ବିଶ୍ବକପ ୨୦୨୩ । ଚଳିତ ବର୍ଷ ଭାରତ ବିଶ୍ବକପ ବିଜେତା ବନିବ ବୋଲି ଆଶା ରଖିଛନ୍ତି ପ୍ରଶଂସକ । ତେବେ ଗତକାଲି ଇଂଲଣ୍ଡ ବିପକ୍ଷ ମ୍ୟାଚ୍ରେ ମଧ୍ୟ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା । ଉଭୟ ଭାରତ ଓ ଇଂଲଣ୍ଡ ଦଳ ଭଳ ପ୍ରଦର୍ଶନ କରିଥିଲେ ମଧ୍ୟ କୌଣସି ଦଳ ବିପକ୍ଷ ଦଳ ଉପରେ ଗୋଲ ସ୍କୋର କରିପାରି ନଥିଲେ । ଫଳରେ ମ୍ୟାଚ୍ ଅମିମାଂସିତ ରହିଥିଲା । ତେବେ ଏନେଇ ଆମେ ଆଲୋଚନା କରିଥିଲୁ ପୂର୍ବତନ ହକି ପ୍ରଶିକ୍ଷକ ଏକେ ବଂଶଲଙ୍କ ସହିତ । ହକି ବିଶ୍ବକପ ବର୍ତ୍ତମାନ ଏକ ରୋମାଞ୍ଚକର ପରିସ୍ଥିତିରେ ପହଞ୍ଚିଛି । କେଉଁ ପୁଲରୁ କେଉଁ ଦଳ କ୍ବାର୍ଟର ଫାଇନାଲ ପାଇଁ ଉତ୍ତୀର୍ଣ୍ଣ ହେବ, ତାହା କହିବା ମୁସ୍କିଲ । ତେବେ କ୍ବାର୍ଟର ଫାଇନାଲରେ ପହଞ୍ଚିବା ପାଇଁ ବିଭିନ୍ନ ଦଳ ତିଆରି କରୁଛନ୍ତି ସମୀକରଣ । ରବିବାର ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଇଂଲଣ୍ଡ ସହ ଭାରତର ହାଇ ଭୋଲ୍ଟେଜ ମ୍ୟାଚରେ ଦୁଇ ଦଳ ସଂଘର୍ଷ ସତ୍ତ୍ବେ ମ୍ୟାଚ୍ର ରେଜଲ୍ଟ ଡ୍ର ରହିଥିଲା । ଦୁଇ ଦଳ ସଂଘର୍ଷ କରି ପରସ୍ପରକୁ ଆଟାକ କରି ଖେଳିଥିଲେ ଏବଂ ଦୁଇ ଦଳଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ତେବେ ଭାରତ ମ୍ୟାଚକୁ ଡ୍ର କରିଥିଲେ ସୁଦ୍ଧା ପ୍ରଶଂସକଙ୍କ ଗହଣରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । କିନ୍ତୁ ଭାରତ ଜିତିଥିଲେ ଖୁସି ଆହୁରି ଅଧିକା ହୋଇଥାନ୍ତା । ତେବେ ଗତକାଲି ମ୍ୟାଚ୍ରେ ଭାରତ ଏବଂ ଇଂଲଣ୍ଡ ଦଳର କେଉଁଠାରେ ତ୍ରୁଟି ରହିଲା, କେଉଁ କାରଣ ଯୋଗୁଁ ଭାରତ ଗୋଲ ସ୍କୋର କରିପାରି ନଥିଲା, ସେନେଇ ଆମେ ଆଲୋଚନା କରିଥିଲୁ ଡାକ୍ତର ଏକେ ବଂଶଲଙ୍କ ସହ । ଏକେ ବଂଶଲ ନିଜ କୋଚିଂ କ୍ୟାରିୟରରେ ବହୁ ପ୍ରତିଭାବାନ ଖେଳାଳୀଙ୍କୁ ତିଆରି କରିଛନ୍ତି । ବର୍ତ୍ତମାନର ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀଙ୍କୁ ନିଜ ପ୍ରଶିକ୍ଷଣ ଦେଇ ଆଜି ଏହି ହକି ଇଣ୍ଡିଆର ମହାନାୟକଙ୍କୁ ତିଆରି କରିଛନ୍ତି ଏକେ ବଂଶଲ । ଯେତେବେଳେ ଦିଲ୍ଲୀପ ତିର୍କୀ ୧୧ ବର୍ଷ ବୟସର ଥିଲେ, ସେହି ସମୟରୁ ଦେଇ ପଦ୍ମଶ୍ରୀ ପାଇବା ଯାଏଁ ତାଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି ଏକେ ବଂଶଲ ।ତେବେ ଭାରତ ଓ ଇଂଲଣ୍ଡ ମ୍ୟାଚ ନେଇ ଡାକ୍ତର ଏକେ ବଂଶଲ କହିଛନ୍ତି, "ଦୁଇ ଦଳ ଭଲ ସଂଘର୍ଷପୂର୍ଣ୍ଣ ମ୍ୟାଚ ଖେଳିଥିଲେ । କିନ୍ତୁ ନିଶ୍ଚିତ ଭାବେ ଉଭୟ ଦଳର କିଛି ଭୁଲ ରହିଥିଲା । ଯଦି ଦୁଇ ଟିମ ମଧ୍ୟରୁ କେହି ଗୋଟିଏ ଗୋଲ ସ୍କୋର କରିପାରିଥାନ୍ତେ, ତେବେ ସେହି ଦଳ ଗତକାଲି ମ୍ୟାଚ୍ରେ ବିଜୟୀ ହୋଇଥାନ୍ତା । ଇଂଲଣ୍ଡ ଦଳକୁ ୭ଟି ପେନାଲ୍ଟି କର୍ଣ୍ଣର ମିଳିଥିଲାବେଳେ ଭାରତକୁ ମଧ୍ୟ ୫ଟି ପେନାଲ୍ଟି ସୁଯୋଗ ମିଳିଥିଲା । କିନ୍ତୁ ଉଭୟ ଦଳଙ୍କ ମଧ୍ୟରୁ କେହି ମଧ୍ୟ ଏହାର ଫାଇଦା ଉଠାଇ ପାରିନାହାନ୍ତି । କିନ୍ତୁ ସବୁଠାରୁ ବଡ଼ କଥା ହେଉଛି, ଭାରତକୁ ଇଂଲଣ୍ଡ ୭ଟି ପେନାଲ୍ଟି ଆଟାକ କରିଥିଲେ ମଧ୍ୟ ଆମ ଗୋଲ କିପର ପାଖକୁ ପହଞ୍ଚିବାକୁ ଦେଇ ନାହାନ୍ତି ଫାଷ୍ଟ ରନର ।" ତେବେ ଯଦି ଆସନ୍ତା ୧୯ ତାରିଖରେ ୱେଲ୍ସ ବିପକ୍ଷ ମ୍ୟାଚ୍ରେ ଭାରତ ଭଲ ବ୍ୟବଧାନରେ ଜିତିବ, ତେବେ କ୍ବାର୍ଟର ଫାଇନାଲରେ ପହଞ୍ଚିବାକୁ ସୁଯୋଗ ଅଧିକ ରହିବ ବୋଲି ସେ କହିଛନ୍ତି । ଇଟିଭି ଭାରତ, ରାଉରକେଲା