ଋଷରେ ଲାଗିଲା ମାର୍ଶଲ ଲ': ଉଲଂଘନକାରୀଙ୍କୁ ଜେଲଦଣ୍ଡ - ବନ୍ଦ ହୋଇପାରେ ଇଣ୍ଟରନେଟ୍ ସେବା
ମସ୍କୋ:ଏହାରି ଭିତରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦେଶରେ ମାର୍ଶଲ ଲ' ଲାଗୁ କରିଛିନ୍ତି। ଯଦି କୌଣସି ବ୍ୟକ୍ତି ଏହି ନିୟମର ଉଲଂଘନ କରେ ତେବେ ତାଙ୍କୁ 1 ମାସ ଧରି ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି ଚେତାବନୀ ଦିଆଯାଇଛି। ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ ଆତଙ୍କୀ ନିରୋଧୀ ଅଭିଯାନ ଜାରି ରହିଛି। ତେବେ ଦେଶରେ ନାଗରିକ ଅଶାନ୍ତି, ରାଷ୍ଟ୍ରୀୟ ସଙ୍କଟ କିମ୍ବା ଯୁଦ୍ଧ ଆଶଙ୍କା ଥିଲେ ମାର୍ଶଲ ଲ' କାର୍ଯ୍ୟକାରୀ ହୋଇଥାଏ। ଏହି ନିୟମ ଅନୁସାରେ ସହରକୁ ପ୍ରବେଶ, ପ୍ରସ୍ଥାନ ଭଳି ସରକାରଙ୍କ ଦ୍ବାରା ଲଗାଯାଇଥିବା କେତେକ ପ୍ରତିବନ୍ଧକକୁ ମାନିବାକୁ ପଡିଥାଏ।
ଏହାସହ ଋଷର ରାଜଧାନୀ ମସ୍କୋରେ ଇଣ୍ଟରନେଟ୍ ସେବା ବନ୍ଦ ହୋଇପାରେ ବୋଲି କୁହାଯାଉଛି। ୱାଗନର ଗ୍ରୁପର କୌଣସି ସୈନିକଙ୍କୁ ଦେଖିଲେ ଋଷ ସେନା ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଚେତାବନୀ ଦିଆଯାଇଛି। ସେପଟେ ଦେଶରେ ଫସି ରହିଥିବା ପ୍ରବାସୀଙ୍କ ସୁରକ୍ଷା ଚିନ୍ତା ବଢିଛି। ନାଗରିକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ ପଦକ୍ଷେପ ନେବାକୁ ୱାଗନର ଗ୍ରୁପର ମୁଖ୍ୟଙ୍କୁ ଅନୁରୋଧ କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ।