‘ମୋ ଇସ୍ତଫା ଖବର ପ୍ରସାରଣ କଲେ, ମାନହାନି ମାମଲା କରିବି’ - କର୍ଣ୍ଣାଟକ ଫଳଫଳ
ନୂଆଦିଲ୍ଲୀ: ହାଇକମାଣ୍ଡଙ୍କୁ ଭେଟିବା ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ ସଭାପତି ତଥା ମୁଖ୍ୟମନ୍ତ୍ରୀ ଆଶାୟୀ ଡି.କେ ଶିବକୁମାର । ସେ ଗତକାଲି ଦିଲ୍ଲୀ ଗସ୍ତ କରିବାକୁ ଥିବା ବେଳେ ସ୍ବାସ୍ଥ୍ୟଗତ କାରଣରୁ ଗସ୍ତ କରିନଥିଲେ । ଆଜି ଦିଲ୍ଲୀରେ ପହଞ୍ଚିଥିବା ଡି.କେ, ତାଙ୍କ ଇସ୍ତଫା ଖବରକୁ ନେଇ ଖପ୍ପା ହୋଇଛନ୍ତି । କିଛି ଗଣମାଧ୍ୟମର କାର୍ଯ୍ୟଶୈଳୀରେ ବିରକ୍ତି ପ୍ରକାଶ କରି କହିଛନ୍ତି, ଯଦି କେହି ସଂସ୍ଥା ସେ ଇସ୍ତଫା ଦେଇଛନ୍ତି ବୋଲି ଖବର ପ୍ରସାରିତ କରନ୍ତି, ତେବେ ସେ ମାନହାନୀ ମାମଲା କରିବେ । ଦଳ ତାଙ୍କ ମା’ ପରି । ସେ ଦଳକୁ ତିଆରି କରିଛନ୍ତି । ହଇକମାଣ୍ଡ ଓ 135 ବିଧାୟକଙ୍କ ସହ ଅଛନ୍ତି ବୋଲି ଡି.କେ କହିଛନ୍ତି ।
ଗତକାଲି ଅନ୍ୟତମ ଦାବିଦାର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଦିଲ୍ଲୀ ଗସ୍ତ କରିସାରିଥିବା ବେଳେ ଆଜି ଡି.କେ ଦିଲ୍ଲୀରେ ପହଞ୍ଚିଛନ୍ତି । ସେ ତାଙ୍କ ସାଂସଦ ଭାଇ ଡି.କେ ସୁରେଶଙ୍କ ବାସଭବନରେ ପହଞ୍ଚିଥିଲେ । ପରେ ସେ ଅପରାହ୍ନରେ ହାଇକମାଣ୍ଡଙ୍କୁ ଭେଟିବା ପାଇଁ କଂଗ୍ରେସ ମୁଖ୍ୟାଳୟ ଯାଇଥିବା ସୂଚନା ମିଳିଛି । ସଂଧ୍ୟା ସୁଦ୍ଧା ଏହି ପ୍ରସଙ୍ଗରେ କିଛି ସ୍ପଷ୍ଟତା ଆସିବା ନେଇ ଅନୁମାନ କରାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ