EVM ମେସିନକୁ ଯାଞ୍ଚ କଲା ହାଇଦ୍ରାବାଦ କମ୍ପାନୀ, ଜୋର ଧରିଲା ଆଗୁଆ ନିର୍ବାଚନ ଚର୍ଚ୍ଚା - ଇଭିଏମ ମେସିନ ଟେଷ୍ଟିଂ
ପୁରୀ: ପୁରୀରେ ନୂଆ କରି ଆସିଥିବା ଇଭିଏମ ମେସିନକୁ ଟେଷ୍ଟିଂ କରୁଛି ହାଇଦ୍ରାବାଦସ୍ଥିତ କମ୍ପାନୀ ଇସିଏଲ । ପୁରୀ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କ ଉପସ୍ଥିତିରେ ଏହି ମେସିନଗୁଡିକର ଟେଷ୍ଟିଂ ଆରମ୍ଭ ହୋଇଥିବା ବେଳେ ଓଡ଼ିଶା ପ୍ରଶାସନିକ ସେବାର ପ୍ରୋବେସନର ଅଧିକାରୀମାନଙ୍କ ସମେତ ୬୦ଗୋଟି ଟିମ ନିୟୋଜିତ ରହିଛନ୍ତି । ଗତ ସପ୍ତାହରେ ୪୧୦୦ ବାଲାଟ ୟୁନିଟ ଓ ୪୧୦୦ କଣ୍ଟ୍ରୋଲ ୟୁନିଟକୁ ମିଶାଇ ମୋଟ ୮୨୦୦ ଇଭିଏମ ମେସିନ ଆସି ପହଞ୍ଚିବା ପରେ ଆଗାମୀ ନିର୍ବାଚନକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ।
ଗତ ଏପ୍ରିଲ ୩ ତାରିଖରେ ବିଭିନ୍ନ ରାଜନୈତିକ ଦଳର ଉପସ୍ଥିତିରେ ୨୮ଟି ଷ୍ଟ୍ରଙ୍ଗ ରୁମରେ ଇଭିଏମକୁ ୱେର ହାଉସ ରଖାଯାଇଥିଲା । ସେପଟେ ନୂଆ ମେସିନ ଆସିଲେ ତାହାର କାର୍ଯ୍ୟକାରିତା ଜାଣିବା ପାଇଁ ଟେଷ୍ଟିଂ କରାଯିବା ଏକ ନିୟମିତ ଓ ସ୍ବାଭାବିକ ପ୍ରକ୍ରିୟା ଏବଂ ଟେଷ୍ଟିଂରେ ଯେଉଁ ମେସିନ ଗୁଡିକରେ ସମସ୍ୟା ଥିବ ତାହାକୁ ଇସିଆଇଏଲର ଇଞ୍ଜିନିୟରମାନେ ସମାଧାନ କରିବେ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି । ଅନ୍ୟପଟେ ଇସିଆଇଏଲର ସେକ୍ସନ ଅଧିକାରୀ ପୱନ କୁମାର ଭଟ୍ଟର ସୁପରଭାଇଜିଂ ଅଧିକାରୀ ଭାବେ ଇସିଆଇଏଲ ପକ୍ଷରୁ ଯୋଗ ଦେଇ ମେସିନଗୁଡିକର କାର୍ଯ୍ୟ ଦକ୍ଷତା ଓ ସମସ୍ୟା ଥିଲେ ସମାଧାନ କରିବାକୁ ଉପସ୍ଥିତ ରହିଛନ୍ତି । ତେବେ ଇଭିଏମ ପହଞ୍ଚିବା ଏବଂ ଟେଷ୍ଟିଂ ହେବା ପରେ ଆଗୁଆ ସାଧାରଣ ନିର୍ବାଚନ ନେଇ ଚର୍ଚ୍ଚା ଜୋର ଧରିବା ସହ ରାଜନୈତିକ ଉଷ୍ମତା ଆରମ୍ଭ ହୋଇଛି ।
ଇଟିଭି ଭାରତ, ପୁରୀ