ସଜାଡୁଥିଲେ ଇଲେକ୍ଟ୍ରିକ ବୋର୍ଡ, ବିଦ୍ୟୁତ ଆଘାତ ଲାଗି ହୋମଗାର୍ଡ ମୃତ - ମୟୂରଭଞ୍ଜ ମୟୂରଭଞ୍ଜ
Published : Sep 27, 2023, 7:03 AM IST
ରାଇରଙ୍ଗପୁର: ବିଦ୍ୟୁତ ଆଘାତ ଲାଗି ଅଘଟଣ । ଅକାଳରେ ଚାଲିଗଲା ଜଣେ ଗୃହରକ୍ଷୀଙ୍କ ଜୀବନ । ଏଭଳି ଏକ ଘଟଣା ଘଟିଯାଇଛି ମୟୂରଭଞ୍ଜ ଜିଲ୍ଲାରେ । ସୂଚନା ଅନୁଯାୟୀ, ଜିଲ୍ଲାର ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଛତ୍ରମଣ୍ଡଳ ଗ୍ରାମର ସ୍ବର୍ଗତ ସାଙ୍ଖୋ ହେମ୍ବ୍ରମଙ୍କ ପୁଅ ବିକ୍ରମ ହେମ୍ବ୍ରମ (35) ଗୋରୁମହିଷାଣୀ ଥାନାରେ ହୋମଗାର୍ଡ ଭାବରେ କାର୍ଯ୍ୟରତ ଥିଲେ। ତେବେ ଆଜି ଦିନ ପ୍ରାୟ ୧.୩୦ ସମୟରେ ଘରେ ଥିବା ଏକ ବିଦ୍ୟୁତ ବୋର୍ଡକୁ ଚେକ୍ କରୁଥିବା ସମୟରେ ବିଦ୍ୟୁତ ଆଘାତ ପାଇ ସେହିଠାରେ ହିଁ ଟଳି ପଡ଼ିଥିଲେ । ଏହି ସମୟରେ ତାଙ୍କ ମାଆ ପାର୍ବତୀ ଓ ସ୍ତ୍ରୀ ଘରେ ନଥିଲେ। ପରେ ତାଙ୍କ ମାଆ ପାର୍ବତୀ ଘରକୁ ଆସି ପୁଅ ଚଟାଣରେ ପଡ଼ିଥିବାର ଦେଖିଥିଲେ। ତେବେ ବିକ୍ରମଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବା ବେଳେ ସେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସି ଅଳ୍ପକେ ବର୍ତ୍ତି ଯାଇଥିଲେ । ସେପଟେ ପାର୍ବତୀ ଆଖପାଖ ଲୋକଙ୍କୁ ଡାକି ପୁଅ ବିକ୍ରମକୁ ଉଦ୍ଧାର କରି ତୁରନ୍ତ ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହା ମଧ୍ୟ ପଢ଼ନ୍ତୁ...ଶାଶୁଙ୍କୁ ବଞ୍ଚାଇବାକୁ ଯାଇ ଚାଲିଗଲା ଶାଶୁ ସମେତ 2 ବୋହୂଙ୍କ ଜୀବନ
ସେପଟେ ଏନେଇ ଗୋରୁମହିଷାଣୀ ଥାନା ପୋଲିସକୁ ଖବର ଦେବାରୁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଆସନ୍ତାକାଲି ମୃତଦେହ ବ୍ୟବଚ୍ଛେଦ ପରେ ଏହା ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଗୋରୁମହିଷାଣୀ ଥାନା ପୋଲିସ ସୂଚନା ଦେଇଛି । ଅନ୍ୟପଟେ ମୃତ ବିକ୍ରମ ହେମ୍ବ୍ରମଙ୍କ କେବଳ ମାଆ, ସ୍ତ୍ରୀ ଓ ଦୁଇ ଜଣ ଛୋଟଛୋଟ ଝିଅ ଥିବା ବେଳେ ବିକ୍ରମଙ୍କୁ ହରାଇ ସମ୍ପୂର୍ଣ୍ଣ ପରିବାର ଭାଙ୍ଗି ପଡ଼ିଛନ୍ତି । ଏହି ଘଟଣା ପ୍ରଚାରିତ ହେବା ପରେ ଛତ୍ରମଣ୍ଡଳ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ଇଟିଭି ଭାରତ, ରାଇରଙ୍ଗପୁର