ଚରିବାକୁ ଯାଇ ନଦୀ ପଠାରେ ଫସିଗଲେ ୪୦ଟିକିଆ ଗାଈପଲ, କେମିତି ହେବେ ଉଦ୍ଧାର ? - ୪୦ରୁ ଉର୍ଦ୍ଧ୍ବ ଗାଈପଲ
କଟକ:ଚରିବାକୁ ଯାଇ ନଦୀ ପଠାରେ ଫସି ଗଲେ ୪୦ରୁ ଊର୍ଦ୍ଧ୍ବ ଗାଈ । କଟକ ସିଡ଼ିଏ ସେକ୍ଟର ୮ରେ ଥିବା ଜଜ୍ପଠାରେ ଫସି ଯାଇଛନ୍ତି ଗାଈ ପଲ । ଦୀର୍ଘ ୩ ଦିନ ହେବ ପାଣି ଘେରରେ ଫସି ଯାଇଥିବା ସୂଚନା ମିଳିଛି । ତେବେ ଫସିରହିଥିବା ଗାଈପଲଙ୍କୁ ଉଦ୍ଧାର କରିବା ସମ୍ଭବପର ନୁହେଁ । କାରଣ କାଠଯୋଡ଼ିର ଏହି ପଠାରେ ଜଳସ୍ତର ଅଧିକ ରହିବା ସହ ନଦୀର ସ୍ରୋତ ବି ପ୍ରଖର ରହିଛି । ସବୁଠାରୁ ବଡ କଥା ଏବେ ଧିରେଧିରେ ନଦୀରେ ଜଳସ୍ତର ଖସୁ ଥିବାରୁ ସେମାନଙ୍କ ପ୍ରତି ବିପଦ ବି କାମୁଥିବା ଅଗ୍ନିଶମ ବିଭାଗ ସୂଚନା ଦେଇଛି । ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ ଅଗ୍ନିଶମ ବିଭାଗ ପକ୍ଷରୁ ଗାଈମାନଙ୍କୁ ଉଦ୍ଧାର କରିବା ପାଇଁ କୌଣସି ପଦକ୍ଷପ ଗ୍ରହଣ କରାଯାଇ ନଥିବା ସୂଚନା ମିଳିଛି ।
ନଦୀରେ କିପରି ଫସିଲେ ଗାଈପଲ:ସ୍ଥାନୀୟବାସୀଙ୍କ ସୂଚନା ଅନୁଯାୟୀ, ନଦୀରେ ବନ୍ୟାଜଳ ଆସିବା ପୂର୍ବରୁ ପ୍ରାୟ ୩୦ରୁ ୪୦ ଗାଈ ସେଠାକୁ ଚରିବାକୁ ଯାଇଥିଲେ । ମାତ୍ର ବନ୍ୟା ଜଳସ୍ତର ବୃଦ୍ଧି ପାଇବାରୁ ସେମାନେ ଆଉ କୂଳକୁ ଫେରି ପାରି ନଥିଲେ । କାରଣ ପଠା ଚାରି ପଟେ ଜଳସ୍ତର ବେଶ ଅଧିକ ରହିଥିଲା । ଫଳରେ ୩ ଦିନ ଧରି ଗାଈମାନେ ସେଠାରେ ଫସି ରହିଛନ୍ତି । ଏକା ସମୟରେ ଗାଈମାନଙ୍କୁ ଆଣିବା ସମ୍ଭବ ନୁହେଁ । ତେବେ ପାଣି ଆସିବା ପୂର୍ବରୁ ଉକ୍ତ ପଠାରୁ ଗାଈମାନଙ୍କୁ ଅଗ୍ନିଶମ କର୍ମଚାରୀମାନେ ଘଉଡ଼ାଇଥିଲେ । ମାତ୍ର ଉକ୍ତ ଗାଈ କୂଳକୁ ଆସିବା ପରେ ପରବର୍ତ୍ତୀ ସମୟରେ ପୁନର୍ବାର ପଠା ନିକଟକୁ ଚାଲିଯାଇ ଥିଲେ ବୋଲି ନିଜର ପରିଚୟ ଗୋପନରଖି ଜଣେ ଅଗ୍ନିଶମ କର୍ମଚାରୀ କହିଛନ୍ତି । ତେବେ ଜଳସ୍ତର କମିବାରେ ଲାଗିଛି । ଆଉ ଦୁଇ ଦିନ ମଧ୍ୟରେ ପୁରା କମିଗଲେ ଗାଈମାନେ ଆପେଆପେ କୂଳକୁ ଆସିଯିବେ । ସେହିପରି ଗାଈମାନଙ୍କୁ ଉଦ୍ଧାର କରିବା ପାଇଁ ହେଲେ ଅଳ୍ପଅଳ୍ପ ଗାଈଙ୍କୁ ବାନ୍ଧି ପହଁରାଇ ଆଣିବାକୁ ପଡ଼ିବ କିନ୍ତୁ ଏହି ପ୍ରକ୍ରିୟାରେ ଅଧିକ ସମୟ ଲାଗିବ ।
ଇଟିଭି ଭାରତ, କଟକ