ଓଡିଶା

odisha

ହର୍ବାଲ ହୋଲି ଖେଳିଲେ ରାଜଧାନୀବାସୀ, ବଲିଉଡ ଅଭିନେତ୍ରୀ ଅମ୍ରିତା ରାଓଙ୍କ ସହ ଝୁମିଲେ ଦର୍ଶକ

By

Published : Mar 8, 2023, 10:23 PM IST

ବଲିଉଡ ଅଭିନେତ୍ରୀ ଅମ୍ରିତା ରାଓଙ୍କ ସହ ଝୁମିଲେ ଦର୍ଶକ

ଭୁବନେଶ୍ବର: ରଙ୍ଗର ପର୍ବ ହୋଲି । ଆଉ ସୁରକ୍ଷିତ ହୋଲି ପାଳିବାକୁ ଯାଇ ସ୍ବପ୍ନାପତି ଫାଉଣ୍ଡେସେନ ପାଳନ କରିଛନ୍ତି ହର୍ବାଲ ହୋଲି । ରାଜଧାନୀର ଏକ ତାରକା ହୋଟଲରେ ଏହି ହୋଲି ପାଳନ କରାଯାଇଥିବା ବେଳେ ହଳଦୀ, ଟମାଟୋ, ମୁଲତାନ ମାଟି, ଚନ୍ଦନ ବିଟ୍ ଏବଂ ବିଭିନ୍ନ ଫୁଲରେ ତିଆରି ରଙ୍ଗରେ ହୋଲି ଖେଳଛନ୍ତି ରାଜଧାନୀବାସୀ । ପରସ୍ପରକୁ ରଙ୍ଗ ଲଗାଇ ପ୍ରକୃତିର ରଙ୍ଗ ଖେଳାଇଛନ୍ତି ରାଜଧାନୀବାସୀ । ଖାଲି ସେତିକି ନୁହେଁ ଲାଇଭ ମ୍ୟୁଜିକ ଓ ଡାନ୍ସ ସହ ଫୋମର ମଜା ନେଇଛନ୍ତି ଯୁବପିଢ଼ି ।  

ଫୋମ ବା ଫେଣରେ ନାଚିବା ସହ ହର୍ବାଲ ହୋଲିରେ ଭିଜିଥିଲେ ସମସ୍ତେ । ଗୀତର ତଳେ ତଳେ ନାଚି ଗାଇ ଛୋଟ ପିଲାଙ୍କ ଠାରୁ ବୟସ୍କ ସମସ୍ତେ ବେଶ ମସଗୁଲ ହୋଇଥିଲେ ଏହି ହୋଲି ଉତ୍ସବରେ । ହର୍ବାଲ ହୋଲିର ରାଗରେ କୌଣସି ରାସାୟନିକ ସାମଗ୍ରୀ ନଥିବାରୁ ସମସ୍ତଙ୍କୁ ବେଶ ସୁହାଇଥିଲା । ତେଣୁ ପ୍ରକୃତିର ଏହି ହୋଲି ଖେଳିଥିଲେ ରାଜଧାନୀବାସୀ । ପରିବାର ଓ ପ୍ରିୟଜନନଙ୍କ ସହ ଆସି ବେଶ ଧୁମଧାମରେ ମନାଇଥିଲେ ରଙ୍ଗର ପର୍ବ ହୋଲି । ଅନୁଷ୍ଠାନ କେମିକାଲ ରଙ୍ଗ ଠାରୁ ଦୂରେଇ ରହି ହର୍ବାଲ ହୋଲି ଖେଳିବା ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନ ସୃଷ୍ଟି କରାଇବା ଉଦ୍ଦେଶ୍ୟରେ ୧୨ ବର୍ଷ ହେଲା ଏହି ହୋଲିକୁ ଆୟୋଜନ କରି ଆସୁଛନ୍ତି ।

ତେବେ ଚଳିତବର୍ଷ ହୋଲିର ମୁଖ୍ୟ ଆକର୍ଷଣ ସାଜିଥିଲେ ବଲିଉଡ୍ ଅଭିନେତ୍ରୀ ଅମ୍ରିତା ରାଓ ଏବଂ ଡିଜେ ଭେନସ୍ । ତେଣୁ ଲୋକମାନଙ୍କ ମଧ୍ୟରେ ବଲିଉଡର ଏହି ଡିଭାଙ୍କୁ ଦେଖିବାକୁ ବେଶ ଉତ୍ସାହ ରହିଥିଲା । ତାଙ୍କର ଟିକିଏ ଝଲକ ସହ ଲୋକମାନେ ହୋ ହାଲ୍ଲା ହୋଇଥିବା ବେଳେ ରାଜଧାନୀବାସୀଙ୍କ ହୋଲିର ଜୋସକୁ ଦେଖି ସେ ପ୍ରଥମେ ଚୁପ ରହିଯାଇଥିଲେ । ଆଉ ଗୀତ ଗାଇ ସମସ୍ତଙ୍କୁ ହୋଲିର ଶୁଭେଚ୍ଛା ଜଣାଇଥିଲେ । ଓଡିଶା ଆସି ତାଙ୍କୁ ବହୁତ ଖୁସି ଲାଗିଥିବା କହିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ 'ଆପଣମାନେ ଖୁସି ତ' ଡାଇଲଗ କହି ରାଜଧାନୀବାସୀଙ୍କ ମନ ଜିତିଥିଲେ ଅମ୍ରିତା । ହର୍ବାଲ ହୋଲିର ଏହି ପର୍ବରେ ସାମିଲ ହୋଇ ସେ ଅନୁଷ୍ଠାନକୁ ଧନ୍ୟବାଦ ଦେଇଥିବା ବେଳେ ରାଜଧାନୀବାସୀଙ୍କ ଭଲ ପାଇବାକୁ ବେଶ ପ୍ରଶଂସା କରିଥିଲେ ଓ ସୁରକ୍ଷିତ ହୋଲି ମନାଇବା ପାଇଁ ବାର୍ତ୍ତା ଦେଇଥିଲେ । ଅନ୍ୟପଟେ ଡିଜେ ଭେନସ୍‌ଙ୍କ ବଲିଉଡ ଓ ହୋଲିର ସ୍ବତନ୍ତ୍ର ଗୀତରେ ଝୁମିଥିଲେ ଯୁବପିଢ଼ି । ଗୀତ ଯେମିତି ବାଜୁଥିଲା ସମସ୍ତେ ସେହି ତାଳରେ ତାଳ ଦେଇ ବେଶ ମସ୍ତି କରିଥିଲେ । ଆଉ ନିଜ ନିଜ ଭିତରେ ଖୁସି ବାଣ୍ଟି ନିଆରା ଅନୁଭୂତି ନେଇ ଘରକୁ ଫେରିଥିଲେ ।

ସେପଟେ ଏଭଳି ହର୍ବାଲ ହୋଲିକୁ ମଧ୍ୟ ପ୍ରଶଂସା କରିଥିଲେ ଉପସ୍ଥିତ ଅତିଥିବୃନ୍ଦ । କାରଣ ଆମେମାନେ ଯେଉଁ ରାସୟାନିକ ହୋଲି ଖେଳୁଛୁ, ତାହା ଆମକୁ ବେଶ ଖୁସି ଦେଉଛି ସତ, କିନ୍ତୁ ଗୋଟେ ବଡ ବିପଦକୁ ସ୍ବାଗତ କରୁଛି ମଧ୍ୟ । ତେଣୁ ପ୍ରକୃତି ସହ ମିଶି ପ୍ରକୃତିର ରଙ୍ଗ ଖେଳି ସୁରକ୍ଷିତ ହୋଲି ଖେଳି ଏକ ସୁସ୍ଥ ପର୍ବର ବାର୍ତ୍ତା ଦେଇଥିଲେ ଉପସ୍ଥିତ ଦର୍ଶକ । ଏହି ହର୍ବାଲ ହୋଲି ଦୁଇ ବର୍ଷ ହେବ କୋରୋନା କଟକଣା ପାଇଁ ବନ୍ଦ ଥିବାବେଳେ ପୁଣି ଏହି ଖୁସିର ପର୍ବରେ ସାମିଲ ହୋଇ ସମସ୍ତେ ବେଶ ଖୁସିଥିବା ପ୍ରତିକ୍ରିୟା ରଖିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details