ଅଯୋଧ୍ୟା ରାମମନ୍ଦିର ପେଣ୍ଡାଲରେ ପୂଜା ପାଇବେ ଅଗ୍ରପୂଜ୍ୟ ଗଜାନନ - ଆଜି ଗଣେଶ ପୂଜା
Published : Sep 19, 2023, 7:20 AM IST
ବ୍ରହ୍ମପୁର: ଆଜି ଧରାବତରଣ କରିବେ ପାର୍ବତୀ ନନ୍ଦନ ଗଜାନନ। ଉତ୍ସବ ମୁଖର ହୋଇ ଉଠିଛି ଗାଁଠୁ ସହର। ଆଉ କିଛି ସମୟ ପରେ ମଣ୍ଡପ ଗୁଡିକରେ ପୂଜା ପାଇବେ ପ୍ରଭୁ ଶ୍ରୀଗଣେଷ। ଚଳିତ ବର୍ଷ ବ୍ରହ୍ମପୁର ସହର ଉପକଣ୍ଠରେ ରହିଥିବା ସାନକୁଶସ୍ଥଳୀର ତୋରଣ ଲୋକଙ୍କୁ ଆକର୍ଷିକ କରିବ। କାହିଁକିନା ରାମମନ୍ଦିର ଢାଞ୍ଚାରେ ଏଠାରେ ତିଆରି ହୋଇଛି ପୂଜା ପେଣ୍ଡାଲ। ଏହାରି ମଧ୍ୟରେ ପୂଜା ପାଇବେ ଅଗ୍ରପୂଜ୍ୟ ଗଜାନନ। ସାନକୁଶସ୍ଥଳୀ ପୂଜା କମିଟି ପକ୍ଷରୁ ଦୀର୍ଘ ବର୍ଷ ଧରି ଗଣେଶ ପୂଜା ଆୟୋଜିତ ହୋଇ ଆସୁଥିବା ବେଳେ ଚଳିତବର୍ଷ ମଧ୍ୟ ଧୂମଧାମରେ ପାଳନ କରାଯିବ। ସ୍ନାନକୁଶସ୍ଥଳୀ ଯୁବକ ସଂଘ ପକ୍ଷରୁ ଚଳିତ ବର୍ଷ ପୂଜାକୁ ଆକର୍ଷଣୀୟ କରିବା ସହ ଅଯୋଧ୍ୟା ରାମ ମନ୍ଦିର ଢାଞ୍ଚାରେ ନିର୍ମାଣ ହୋଇଛି ତୋରଣ। ୫ଫୁଟର ଉଚ୍ଚତା ବିଶିଷ୍ଟ ରାମ ମନ୍ଦିର ତୋରଣରେ ଗଣେଶଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ। ଏହି ରାମ ମନ୍ଦିର ତୋରଣ ମଧ୍ୟରେ ଶ୍ରୀରାମଙ୍କ ପ୍ରତିମୂର୍ତ୍ତି ମଧ୍ୟ ପୂଜା ପାଇବ। ରାମ ମନ୍ଦିରକୁ ତିଆରି କରିବା ପାଇଁ ପ୍ରଥମେ ୪୫ଶହ ବର୍ଗଫୁଟର ଏକ ଫାଉଣ୍ଡେସନ କରାଯାଇଛି। ଆଉ ତାହା ଉପରେ ଠିଆ ହୋଇଛି ତୋରଣ। ଫାଉଣ୍ଡେସନ ସହ ସମ୍ପୂର୍ଣ୍ଣ ମନ୍ଦିରର ଉଚ୍ଚତା ରହିବ ୫୧ ଫୁଟ । ରାମ ମନ୍ଦିର ଭଳି ସ୍ତମ୍ଭ ଉପରେ ମନ୍ଦିର ଉପର ଭାଗ ରଖାଯାଇଛି ।
ଏହା ମଧ୍ୟ ପଢନ୍ତୁ-ଶେଷ ପର୍ଯ୍ୟାୟରେ ଗଣେଶ ପୂଜା ପ୍ରସ୍ତୁତି, ଝଲସିବ କୋଇଲା ନଗରୀ
ଇଟିଭି ଭାରତ, ବ୍ରହ୍ମପୁର