ଗମ୍ଭୀର-କୋହଲି ବାକଯୁଦ୍ଧ କ୍ରିକେଟ ପାଇଁ ଶୁଭଙ୍କର ନୁହେଁ: ପବନ ଅଗ୍ରୱାଲ - ବିରାଟ କୋହଲି
କଟକ: ପୁଣି ବିରାଟ- ଗମ୍ଭୀର ମୁଁହାମୁହିଁ । ୨୦୧୩ ଘଟଣାର ପୁଣି ଏକ ଦୃଶ୍ୟ ଆଇପିଏଲ ୨୦୨୩ରେ ଦେଖିବକୁ ମିଳିଛି । ଗତକାଲି ଏକ ଲୋ ସ୍କୋରିଙ୍ଗ ମ୍ୟାଚ ସମୟରେ ବର୍ତ୍ତମାନର ଷ୍ଟାର ଇଣ୍ଡିଆନ କ୍ରିକେଟର ବିରାଟ କୋହଲି ଓ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କ ମଧ୍ୟରେ ଦେଖିବାକୁ ମିଳିଛି କଥା କଟାକଟିର ଦୃଶ୍ୟ । ଏପରିକି ଆଦର୍ଶ ଆଚରଣ ବିଧି ଉଲଂଘନ କାରଣରୁ ଉଭୟଙ୍କ ଶତପ୍ରତିଶତ ମ୍ୟାଚ ଫି ମଧ୍ୟ କାଟିଛି ବିସିସିଆଇ । ତେବେ ଏହି ଘଟଣା ଏବେ ସାରା ବିଶ୍ବର କ୍ରୀଡାପ୍ରେମୀ ମାନଙ୍କ ମନରେ ପ୍ରଶ୍ନ ଉଠାଇଛି ଯେ, ଆଇପିଏଲରେ ଏପରି ଆଚରଣ କେତେଦୂର ଯୁକ୍ତିଯୁକ୍ତ ।
ତେବେ ଏହି ଘଟଣାକୁ ଯଦି ପୁରା ଦେଖିବା, ତେବେ ଗତଥର ବାଙ୍ଗାଲୋରରେ ଉଭୟ ଦଳ ମୁହାଁମୁହିଁ ହୋଇଥିଲେ । ସେଠାରେ ଲକ୍ଷ୍ନୌ ଟିମ ଯେତେବଳେ ବାଙ୍ଗାଲୋରକୁ ଚିନ୍ନାସ୍ବାମୀରେ ହରାଇଥିଲା, ସେଠାରେ ମଧ୍ୟ ଏମିତି କିଛି ଢଙ୍ଗରେ ଗମ୍ଭୀର ଓ କିଛି ଖେଳାଳି ବିଜୟ ମୁହୂର୍ତ୍ତ ପାଳିଥିଲେ । ଏହାପରେ ଗତକାଲି ମ୍ୟାଚଟି ବେଶ ଆକର୍ଷଣୀୟ ହୋଇଥିଲା । ଟସ ଜିତି ବାଙ୍ଗାଲୋର ପ୍ରଥମେ ୧୨୬ ରନ କରିବାକୁ ସକ୍ଷମ ହୋଇଥିଲା । ବିପକ୍ଷ ଲକ୍ଷ୍ନୌ ଦଳ ମଧ୍ୟ ପ୍ରଥମରୁ କ୍ରମାଗତ ୱିକେଟ ହରାଇ ସଙ୍କଟ ମୁହଁକୁ ଯାଇଥିଲା । ଏହାରି ମଧ୍ୟରେ ବିରାଟ କୋହଲି ତାଙ୍କର ଆକ୍ରମଣାତ୍ମକ ଢଙ୍ଗକୁ ପଡ଼ିଆ ମଧ୍ୟରେ ଦେଖାଇଥଲେ । ଯାହାକୁ ନେଇ ଫ୍ୟାନ୍ସ ମାନେ ମଧ୍ୟ ବେଶ ମଜା ଉଠାଇଥିଲେ । ତେବେ ଲକ୍ଷ୍ନୌ ମ୍ୟାଚ ହାରିବା ପରେ ଗରମା ଗରମା ସ୍ଥିତି ଗ୍ରାଉଣ୍ଡରେ ଦେଖିବାକୁ ମିଳିଥିଲା ।
ତେବେ ଏହି ଘଟଣାର ସୂତ୍ରଧର ବୋଲି ଆଫଗାନିସ୍ତାନ ବୋଲର ନବୀନ ଉଲ୍ ହକ୍ଙ୍କୁ କୁହାଯାଉଛି । ବିରାଟଙ୍କ ସହ ସେ ବଚସା ଆରମ୍ଭ କରିଥିଲେ । ଯାହାକୁ କେନ୍ଦ୍ର କରି ମ୍ୟାଚ ପରେ ଏଭଳି ସ୍ଥିତି ଉପୁଜିଥିଲା । ଗମ୍ଭୀର ଜଣେ ପୂର୍ବତନ ଭାରତୀୟ ଦକ୍ଷ ଖେଳାଳି ଓ ବିରାଟ ହେଉଛନ୍ତି ବର୍ତ୍ତମାନ ଭାରତୀୟ ଦଳର ଜଣେ ଦକ୍ଷ ଓ ଆଗ୍ରେସିଭ ଖେଳାଳି । ତେଣୁ ଉଭୟଙ୍କ ମଧ୍ୟରେ ଗତକାଲି ହୋଇଥିବା ଯୁକ୍ତିକୁ ସହଜରେ ଗ୍ରହଣ କରିପାରିନାହାନ୍ତି କ୍ରୀଡ଼ାପ୍ରେମୀ ।
ତେବେ ଏହି କ୍ରମରେ ପୂର୍ବତନ ଖେଳାଳୀ ମଧ୍ୟ ଏହି ବାକଯୁଦ୍ଧକୁ ନେଇ ମତ ରଖିଛନ୍ତି । ପୂର୍ବତନ କ୍ରିକେଟର ପବନ ଅଗ୍ରୱାଲ କହିଛନ୍ତି, "ଦୁଇ ଅଭିଜ୍ଞ କ୍ରିକେଟରଙ୍କ ପାଇଁ ଏପରି ଆଚରଣ ଗ୍ରହଣୀୟ ନୁହେଁ । କ୍ରିକେଟ ହେଉଛି ଏକ ସମ୍ଭ୍ରାନ୍ତ ଶ୍ରେଣୀୟ କ୍ରୀଡା । ଅନେକ ସ୍ଲେଜିଙ୍ଗ ହୁଏ ଗ୍ରାଉଣ୍ଡରେ । ହେଲେ ଗତକାଲି ଯାହା ହେଲା, ତାହାକୁ କେବେ ଗ୍ରହଣ କରାଯିବନାହିଁ । IPLର କ୍ରେଜ ବର୍ତ୍ତମାନ ଯେତିକି ଅଛି ତାହା ଆଗାମୀ ଦିନରେ ଆହୁରି ବୃଦ୍ଧି ପାଇବ । ହେଲେ ଏଭଳି ଘଟଣା ଓ ଆଚରଣ କ୍ରିକେଟ ଉପରେ ପ୍ରଶ୍ନ ଉଠାଇବା ସ୍ବାଭାବିକ । ତେଣୁ ବର୍ତ୍ତମାନ ସମୟରେ କ୍ରିକେଟର ମାନେ ଏଭଳି ଆଚରଣକୁ ବିରୋଧ କରିବା ସହ ଏକ ଭଲ ବାତାବରଣରେ କ୍ରିକେଟ ରହିବା ଆବଶ୍ୟକ । ନଚେତ ଆଗାମୀ ଦିନରେ କ୍ରିକେଟର ଭବିଷ୍ୟତ କଣ ହେବ, ତାହା କଳନା କରିବା ଅସମ୍ଭବ ।"
ଇଟିଭି ଭାରତ, କଟକ