ଗୁଗୁଲ ମ୍ୟାପରେ ବାଟ ହୁଡ଼ିଗଲେ ବିଦେଶୀ ପର୍ଯ୍ୟଟକ, ଓଡ଼ିଶାର ଆତିଥ୍ୟ ଦେଖି ମୁଗ୍ଧ - ବାଲେଶ୍ବରବାସିନ୍ଦାଙ୍କ ଅତିଥି ଚର୍ଚ୍ଚା
Published : Dec 15, 2023, 12:45 PM IST
ବାଲେଶ୍ବର:ବିଦେଶୀ ଦେଖିଲେ ଓଡ଼ିଶାର ଆତିଥ୍ୟ । ବାଲେଶ୍ବର ସୋର ଅଞ୍ଚଳବାସିନ୍ଦାଙ୍କ ଅତିଥି ସତ୍କାରକୁ ନେଇ ଚର୍ଚ୍ଚା ଜୋର ଧରିଛି । ଜଣେ ବିଦେଶୀ ପର୍ଯ୍ୟଟକ ଗୁଗୁଲ ମ୍ୟାପରେ ବାଟ ହୁଡ଼ି କୋଲକାତା ଯିବା ବଦଳରେ ସୋରରେ ପହଞ୍ଚି ନିଜକୁ ଅସହାୟ ମନେ କରୁଥିବା ବେଳେ ସ୍ଥାନୀୟ ଯୁବକମାନେ ତାଙ୍କୁ ଦେଖାଇଛନ୍ତି ବାଟ । ବିଦେଶୀ ପର୍ଯ୍ୟଟକଙ୍କ ସହ ବନ୍ଧୁତା ସ୍ଥାପନ କରିବା ସହ ତାଙ୍କୁ ଖୁଆଇଛନ୍ତି ଓଡ଼ିଆ ଖାଦ୍ୟ ।
ସୂଚନା ଅନୁସାରେ ଫ୍ରାନ୍ସର ଜଣେ ଯୁବକ ବିଲ୍ୟୁ ଗତ ନଭେମ୍ବର ମାସରେ ଭାରତ ଭ୍ରମଣ ପାଇଁ ବାହାରିଥିଲେ । ପ୍ରଥମେ ଦିଲ୍ଲୀ ଓ ପରେ ପରେ ବାରାଣସୀ ବୁଲିବା ପରେ ଟ୍ରେନ ଯୋଗେ ଖଡ଼ଗପୁର ଯାଇଥିଲେ । ସେଠାରୁ ଭୁବନେଶ୍ୱର ଏବଂ ପୁରୀ ବୁଲିବା ପରେ ଭଦ୍ରକରେ ପହଞ୍ଚିଥିଲେ । ଭଦ୍ରକରୁ କୋଲକାତା ଯିବା ବଦଳରେ ସୋର ଷ୍ଟେସନରେ ଓହ୍ଲାଇ ଗୁଗୁଲ ମ୍ୟାପରେ ଗୋପାଳପୁର ୱାଟର ପୋଲ ସର୍ଚ୍ଚ କରିଥିଲେ । ଗୁଗୁଲ ମ୍ୟାପରେ ଗୋପାଳପୁର ୱାଟର ପୋଲ ସ୍ଥାନରେ ସିନ୍ଧୁଆ ଡ୍ୟାମ ଦେଖାଇଥିଲା । ଯୁବକ ଜଣଙ୍କ ମ୍ୟାପକୁ ଅନୁସରଣ କରି ବାଟ ଭୁଲି ସିନ୍ଧୁଆ ଅଭିମୁଖେ ଚାଲିଚାଲି ବାହାରି ଯାଇଥିଲେ । ସେହି ସମୟରେ ସ୍ଥାନୀୟ ଅଞ୍ଚଳରେ ଆୟୋଜିତ ହେଉଥିବା ମୁକ୍ତେଶ୍ଵର ସର୍ବଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଯୁବକ ମାନେ ତାଙ୍କୁ ଦେଖିଥିଲେ । ଜଣେ ବିଦେଶୀ ଏମିତି ଚାଲିଚାଲି ଯିବା ସମସ୍ତଙ୍କୁ ଚକିତ କରିଥିଲା । କିଛି ଯୁବକ ବିଲ୍ୟୁଙ୍କ ପାଖକୁ ଯାଇ ତାଙ୍କ ପାଖରୁ ସମସ୍ତ କଥା ଶୁଣିବା ପରେ ସେ ବାଟ ହୁଡ଼ି ଯାଇଥିବା ଯୁବକମାନେ ଜାଣିବାକୁ ପାଇଥିଲେ ।
ଏହାମଧ୍ୟ ପଢନ୍ତୁ.. ବାଲେଶ୍ବରରେ ବାଂଲାଦେଶୀ ଯୁବତୀ, ପ୍ରେମ ପାଇଁ କଲେ ସୀମା ପାର
ସେଠାରୁ ଯୁବକମାନେ ତାଙ୍କର ଅତିଥି ଭଳି ସେବା ଯୋଗାଇବା ସହିତ ତାଙ୍କୁ ଓଡ଼ିଆ ଖାଦ୍ୟପେୟର ବ୍ୟବସ୍ଥା କରିଥିଲେ । ଯାହାକୁ ବିଦେଶୀ ଯୁବକ ଜଣଙ୍କ ବହୁ ପ୍ରଶଂସା କରିବା ସହିତ ସେମାନଙ୍କର ବନ୍ଧୁତ୍ୱ ଓ ସାହାଯ୍ୟକୁ ଭରପୁର ପ୍ରଶଂସା କରି କୃତଜ୍ଞତା ଜଣାଇଥିଲେ । ତେବେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚାଲିଥିବାରୁ ଦୁଇଦିନ ଧରି ପର୍ଯ୍ୟଟକ ଜଣଙ୍କ ସ୍ଥାନୀୟ ଯୁବକଙ୍କ ନିକଟରେ ରହୁଛନ୍ତି । ଖେଳ ସରିବା ପରେ ସେ ନିଜର ଗନ୍ତବ୍ୟ ସ୍ଥଳକୁ ବାହାରିବେ ବୋଲି ଜଣାପଡ଼ିଛି । ଅନ୍ୟପଟେ ସୋର ପୋଲିସ ତାଙ୍କୁ ଥାନାକୁ ନେଇ ପାସପୋର୍ଟ ଯାଞ୍ଚ କରିଥିବା ଜଣାପଡ଼ିଛି ।
ଇଟିଭି ଭାରତ, ବାଲେଶ୍ବର