ଓଡିଶା

odisha

ବର୍ଷା ପରେ ଦୁର୍ଦ୍ଦଶା: ଭାଙ୍ଗିଲା ପୋଲ, ଘରେ ପଶିଲା ପାଣି

By

Published : Aug 3, 2023, 9:14 PM IST

ବର୍ଷା ପରେ ଦୁର୍ଦ୍ଦଶା




କଳାହାଣ୍ଡି:୩ ଦିନ ଧରି ଲଗାଣ ବର୍ଷା ଫଳରେ ଜନ ଜୀବନ ଏକ ପ୍ରକାର ଠପ୍ ହୋଇ ରହିଥିବା ବେଳେ ଆଜି ଜିଲ୍ଲାରେ ବର୍ଷାର ପରିମାଣ କମିଛି। ଅନେକ ସ୍ଥାନରେ ପୋଲ ଭାଙ୍ଗି ଯିବା ସହ ଲୋକଙ୍କ ଘରେ ପାଣି ମଧ୍ୟ ପଶି ଯାଇଛି। ଯାହା ଫଳରେ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ଭବାନୀପାଟଣା ସହରର ୬ଟି ପଡ଼ାର ଲୋକଙ୍କ ଘରେ ପାଣି ପଶିଯାଇଥିଲା। ଯେଉଁଥିପାଇଁ ବିପନ୍ନଙ୍କୁ ପୌର ବିଭାଗ ପକ୍ଷରୁ ଉଦ୍ଧାର କରାଯାଇ ବିଭିନ୍ନ ସ୍କୁଲ, ଅଙ୍ଗନୱାଡ଼ି କେନ୍ଦ୍ରରେ ରଖି ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି।

 ପ୍ରବଳ ବର୍ଷା ଫଳରେ ସହରର ୪୦ରୁ ଉର୍ଦ୍ଧ୍ବ ମାଟି ଘର ଭାଙ୍ଗି ଯାଇଥିବାବେଳେ ଜିଲ୍ଲାର ୧୩ଟି ବ୍ଲକର ପ୍ରାୟ ୧୨୦ ରୁ ଉର୍ଦ୍ଧ୍ବ ଘର ଭାଙ୍ଗି ଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ସେପଟେ ଆଜି ବର୍ଷା ଛାଡ଼ିବା ପରେ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି।  ବିଭିନ୍ନ ବ୍ଲକରେ ଚାଷୀଙ୍କ ଚାଷ ମଧ୍ୟ ନଷ୍ଟ ହୋଇଥିବା ଜଣାପଡିଛି। ବିଳମ୍ବରେ ଚାଷୀ ଚାଷ କାମ ଆରମ୍ଭ କରିଥିଲେ। ହେଲେ ଲଗାଣ ବର୍ଷା ଯୋଗୁଁ ଚାଷୀଙ୍କ ତଳି ସବୁ ନଷ୍ଟ ହୋଇଛି। ଅନ୍ୟପଟେ ନଈ କୂଳିଆ ଲୋକମାନେ ବର୍ତ୍ତମାନ ମଧ୍ୟ ଭୟଭୀତ ଅବସ୍ଥାରେ ରହିଛନ୍ତି। 

ଏହା ବି ପଢନ୍ତୁ...Brahmani Flood: ୨ ଗ୍ରାମକୁ ବ୍ରାହ୍ମଣୀ ଦୁଃଖ, ଜଳବନ୍ଦୀରେ ୩୦୦ରୁ ଊର୍ଦ୍ଧ୍ବ ପରିବାର

ବିଶେଷ ହାତୀ ନଦୀରେ ବନ୍ୟାପାଣି ନିଷ୍କାସନ ହେଉଥିବାବେଳେ  କଲମପୁର ବ୍ଲକର ଟେମରା, ପରୁଆଗୁଡ଼ା, ମାଟିଖାଲ, ବିରିପୁର, ଜାମପଡ଼ା, ବଙ୍କାପଲା, ଖଣ୍ଡି ଡଙ୍ଗରୀଗୁଡ଼ା ଓ ସାନକୁଟୃ, ବାଲିଛଡା ଆଦି ଗାଁର ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ସେପଟେ କେସିଙ୍ଗାରେ ମଧ୍ୟ ଆଜି ବର୍ଷାର ଚିତ୍ର ଦେଖିବାକୁ ମିଳିଛି। ସହରରେ ଆଜି ପ୍ରବଳ ବର୍ଷା ଫଳରେ ଲୋକଙ୍କ ଘରେ ପାଣି ପଶିଯିବା ସହ ରାସ୍ତା ଘାଟରେ ୨ ଫୁଟ ଉଚ୍ଚର ବର୍ଷା ପାଣି ପ୍ରବାହିତ ହେଉଛି। ଯାହା ଫଳରେ ସହରବାସୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏନେଇ ଜିଲ୍ଲା ପ୍ରଶାସନ ତୁରନ୍ତ ଲୋକଙ୍କୁ କ୍ଷତି ପୂରଣ ଯୋଗାଇ ଦେବାକୁ ଦାବି ଜୋର ଧରିଥିବାବେଳେ ଲୋକଙ୍କୁ କେବଳ ଜରି ପାଲ ଯୋଗାଇ ଦେଇ ପ୍ରଶାସନ ନିଜ ଦାୟିତ୍ୱ ସାରି ଦେଇଥିବା ଅଭିଯୋଗ ହୋଇଛି।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details