ମହାନଦୀରେ ବନ୍ୟା: ଆଠମଲ୍ଲିକ କୂଦଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ, ଉଦ୍ଧାର କାର୍ଯ୍ୟ ଜାରି - ଅନୁଗୋଳରେ ବନ୍ୟା ସ୍ଥିତି
ଅନୁଗୋଳ: ବନ୍ୟା ଫଳରେ ଆଠମଲ୍ଲିକ କୂଦଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । ସମଗ୍ର ଅଞ୍ଚଳ ଜଳମୟ ହୋଇଥିବାବେଳେ ଉଦ୍ଧାର ପାଇଁ ଆରମ୍ଭ ହୋଇଛି ପ୍ରୟାସ । ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ଉପଖଣ୍ଡ ମହାନଦୀ ଭିତରେ ଥିବା କୁଦଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । ଚାରିଆଡ ବନ୍ୟାଜଳରେ ପରିପୂର୍ଣ୍ଣ ହୋଇଯାଇଥିବାବେଳେ ମଝିରେ ଫସି ରହିଛନ୍ତି ଲୋକେ। ସୂଚନା ଅନୁସାରେ, ସଂପୃକ୍ତ ସ୍ଥାନରେ ପ୍ରାୟ ୬୩ଟି ପରିବାର ବସବାସ କରୁଥିବା ଜଣାପଡିଛି।
ନଦୀରେ ବେଳକୁ ବେଳ ପାଣି ବଢୁଥିବାରୁ ସେମାନଙ୍କୁ ସେଠାରୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ କରାଯାଇଛି। ସେପଟେ ପାଣି ଘେରରେ ଫସି ରହିଥିବା ଲୋକେ ବର୍ତ୍ତମାନ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ତେବେ ଆଜି ସକାଳୁ ଆଠମଲ୍ଲିକ ଉପଜିଲ୍ଲାପାଳ, ବିଡ଼ିଓ, ତହସିଲଦାର, ପୋଲିସ ଏବଂ ବନ ବିଭାଗ ପହଞ୍ଚି ଲୋକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି।
ଏହା ବି ପଢନ୍ତୁ...ମହାନଦୀରେ ମଧ୍ୟମ ଧରଣ ବନ୍ୟା ଆଶଙ୍କା, ସତର୍କ ରହିବାକୁ ନିର୍ଦ୍ଦେଶ
ଓଡ୍ରାଫ ଟିମ, NDRF ଓ ଅଗ୍ନିଶମ କର୍ମଚାରୀ ସେମାନଙ୍କୁ ସୁରକ୍ଷିତ ଭାବେ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିବାକୁ ସଜାଗ ରହିଥିବା ଜଣାପଡିଛି। ନିକଟରେ ଥିବା ସ୍କୁଲ ଘରେ ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ଓ ଅନ୍ୟାନ୍ୟ ସୁବିଧା କରାଯାଇଛି। ଲଗାଣ ବର୍ଷା କାରଣରୁ ମହାନଦୀରେ ବନ୍ୟା ସ୍ଥିତି ଉପୁଜିଛି। ଯାହାର ମୁକାବିଲା ପାଇଁ ଜିଲା ପ୍ରଶାସନ ପ୍ରସ୍ତୁତ ରହିଛି।
ଇଟିଭି ଭାରତ, ଅନୁଗୋଳ