ଜଳିଗଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରସୂତୀ ୱାର୍ଡ, ଯନ୍ତ୍ରପାତି ପୋଡି ପାଉଁଶ
ଅନୁଗୋଳ: ହସ୍ପିଟାଲରେ ନିଆଁ ଲାଗି ଜଳିଗଲା ପ୍ରସୂତି ବିଭାଗ । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଆଁ ଲାଗି ଲକ୍ଷ ଲକ୍ଷ ଟଙ୍କାର ମେଡିକାଲ ଯନ୍ତ୍ରପାତି ପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡ କାରଣ ଅସ୍ପଷ୍ଟ ଥିବା ବେଳେ ଜନଜୀବନ ସୁରକ୍ଷିତ ଥିବା ସୂଚନା ରହିଛି । ତେବେ ଘଟଣାଟି ରାତି ସାଢେ଼ ୪ଟା ସମୟରେ ଘଟିଥିବା ବେଳେ ଛେଣ୍ଡିପଦା ଦମକଳ ବାହିନୀ ଖବର ପାଇ ନିଆଁକୁ ଆୟତ୍ତ କରିଥିବା ବେଳେ ପ୍ରସୂତି ବିଭାଗରେ ଥିବା ଅନେକ ମେଡିକାଲ ଯନ୍ତ୍ରାଶଂ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ତେବେ ବିଦ୍ୟୁତ୍ ସର୍ଟସର୍କିଟ ଯୋଗୁଁ ଏଭଳି ଘଟଣା ଘଟି ଥାଇପାରେ ବୋଲି ଅନୁମାନ କରାଯାଉଛି । ତେବେ ହସ୍ପିଟାଲ ଗୁଡିକରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଅଗ୍ନି ନିର୍ବାପକ ଲଗାଯାଇଥିଲେ ମଧ୍ୟ ଘଟିଥିବା ଅଗ୍ନିକାଣ୍ଡରେ ଏହା କାମରେ ଆସି ନଥିଲା । ଯାହାକୁ ନେଇ ନାନା ପ୍ରଶ୍ନ ଉଙ୍କି ମାରିଛି । ଘଟଣା ନେଇ ମେଡିକାଲ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେଉ ନଥିବା ବେଳେ କେଉଁ ଅବହେଳାରୁ ଘଟଣା ଘଟିଛି ତାହା ସନ୍ଦେହ ଘେରରେ ରହିଛି ।
ଇଟିଭି ଭାରତ, ଅନୁଗୋଳ