ଦାବି ଶୁଣିଲା ପ୍ରଶାସନ: ତହସିଲଦାରଙ୍କୁ ମିଠା ଖୁଆଇ ସେଲିବ୍ରେଟ କଲେ ଚାଷୀ - ତହସିଲଦାରଙ୍କୁ ମିଠା ଖୁଆଇଲେ ଚାଷୀ
କଳାହାଣ୍ଡି: ଚାଷୀଙ୍କ ଆଗରେ ମୁଣ୍ଡ ନୁଆଁଇଲା ପ୍ରଶାସନ। ଚାଷୀଙ୍କ ଧାନ ବିକ୍ରି ଅର୍ଥ ହଡ଼ପ ଅଭିଯୋଗରେ ରାଜରାସ୍ତାକୁ ଓହ୍ଲାଇଥିଲେ ଚାଷୀ। ଏନେଇ ଦୀର୍ଘ ୬ ଦିନ ବ୍ୟାପୀ ଆନ୍ଦୋଳନ ଥିଲେ ଶତାଧିକ ଚାଷୀ। ଶେଷରେ ଚାଷୀଙ୍କ ଜିଦ୍ ଆଗରେ ହାର ମାନିଛି ପ୍ରଶାସନ। ଫଳରେ ଚାଷୀଙ୍କ ଦାବିକୁ ପୁରଣ କରିବାକୁ ବାଧ୍ୟ ହୋଇଛି ଜିଲ୍ଲା ଯୋଗାଣ ବିଭାଗ। ଆଉ ଦାବି ପୂରଣ ପରେ ସ୍ଥାନୀୟ ତହସିଲଦାରଙ୍କୁ ଚାଷୀ ମିଠା ଖୁଆଇ ଆନ୍ଦୋଳନରୁ ଓହରିଛନ୍ତି।
ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ କୋଟାଗାଁ ଧାନମଣ୍ଡିର ଧାନ କ୍ରୟ ଦାୟିତ୍ୱ ସ୍ୱୟଂ ସହାୟକ ଗୋଷ୍ଠୀ ବଦଳରେ ପେକ୍ସକୁ ପ୍ରଦାନ କରିବା ଦାବିରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରୁଥିଲେ କୋଟାଗାଁ ଚାଷୀ। ଦୀର୍ଘ ୬ ଦିନ ଧରି ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିଥିଲେ l ପ୍ରଥମ ଦିନରେ ତହସିଲଦାରଙ୍କ କାର୍ଯ୍ୟାଳୟ ଭିତରେ ତାଲା ପକାଇ ଅଟକ ରଖିଥିଲେ ଅସନ୍ତୁଷ୍ଟ ଚାଷୀ l
ଏହା ବି ପଢନ୍ତୁ...ପୋତି ହୋଇ ପଡ଼ିଛି ଗ୍ରାମବାସୀଙ୍କ ଦ୍ବାରା ନିର୍ମିତ କେନାଲ, ଚାଷକୁ ନେଇ ଚିନ୍ତାରେ ଚାଷୀ
ଚାଷୀଙ୍କ ଏହି ଆନ୍ଦୋଳନକୁ ବିଭିନ୍ନ ସାମାଜିକ ସଙ୍ଗଠନ ଓ ରାଜନୈତିକ ଦଳ ମଧ୍ୟ ସମର୍ଥନ ଜାଣଇ ଆନ୍ଦୋଳନରେ ସାମିଲ ହୋଇଥିଲେ। ଆଉ ଶେଷରେ ଚାଷୀଙ୍କ ଜିଦ୍ ଆଗରେ ହାର ମାନିଛି ଜିଲ୍ଲା ପ୍ରଶାସନ। ବର୍ତ୍ତମାନ ପେକ୍ସ ଜରିଆରେ ଧାନ ବିକ୍ରି କରାଯିବା ସହ ଚାଷୀଙ୍କ ଅର୍ଥ ମଧ୍ୟ ଆସନ୍ତା 2 ଦିନ ମଧ୍ୟରେ ଚାଷୀଙ୍କ ଖାତାକୁ ଯିବ ବୋଲି ତହସିଲଦାର ସୂଚନା ଦେବା ପରେ ଆନ୍ଦୋଳନରୁ ଓହରିଛନ୍ତି ଚାଷୀ।
ଇଟିଭି ଭାରତ, କଳାହାଣ୍ଡି