ମାଈ ହାତୀର ମୃତଦେହ ଠାବ, ମୃତ୍ୟର କାରଣ ଅସ୍ପଷ୍ଟ - କେନ୍ଦୁଝର ହାତୀ ମୃତଦେହ ଉଦ୍ଧାର
Published : Nov 19, 2023, 1:13 PM IST
କେନ୍ଦୁଝର:ଅସୁରକ୍ଷିତ ଗଜରାଜ । ରାଜ୍ୟରେ କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି ହାତୀ ମୃତ୍ୟୁସଂଖ୍ୟା । ଏବେ ପୁଣି ଆଉ ଏକ ମାଈ ହାତୀର ମୃତଦେହ ଠାବ ହୋଇଛି । କେନ୍ଦୁଝର ବନଖଣ୍ଡର ତେଲକୋଇ ବନାଞ୍ଚଳର ବିମଳା ଫରେଷ୍ଟ ବିଟ୍ ଆକୁଳ ମୁଣ୍ଡା ସାହି ନିକଟସ୍ଥ ଏକ ଚାଷ ଜମି ନିକଟରୁ ମାଈ ହାତୀର ମୃତଦେହ ଉଦ୍ଧାର ହୋଇଛି । ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ହାତୀ ହାତୀ ମଧ୍ୟରେ ଲଢେଇ ଯୋଗୁଁ ଏହି ମାଈ ହାତୀର ମୃତ୍ୟୁ ହୋଇ ଥାଇପାରେ ବୋଲି ବନ ବିଭାଗ ଆଶଙ୍କା କରିଛି । ସେପଟେ ଏହା ପୂର୍ବରୁ ସଲେଇକେନା ଦନ୍ତା ହାତୀ ମୃତ୍ୟୁ ଘଟଣାରେ ବନ ବିଭାଗ ସମାନ କଥା କହୁଥିବା ବେଳେ ପରେ ବିଦ୍ୟୁତ୍ ଫାଶରେ ପଡ଼ି ଦନ୍ତାର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିଲା । ଏନେଇ ବନଖଣ୍ଡ ଅଧିକାରୀଙ୍କ ସମେତ ବିଭାଗୀୟ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଲେ ହାତୀ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କୁହାଯାଉଛି । ଅନ୍ୟପଟେ ବିଭାଗୀୟ କର୍ମଚାରୀଙ୍କ ଅବହେଳା ଓ ଦାୟିତ୍ଵହୀନତା ଯୋଗୁଁ ଦିନକୁ ଦିନ ହାତୀ ଶିକାର ଘଟଣା ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ବନ ବିଭାଗ ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।
ଏହା ମଧ୍ୟ ପଢନ୍ତୁ-ହାତୀ ମୃତ୍ୟୁରେ ଲାଗୁନି ବ୍ରେକ୍: ଧାନ ବିଲରୁ ଦନ୍ତା ମୃତଦେହ ଠାବ, ତଦନ୍ତ ଜାରି
ଇଟିଭି ଭାରତ, କେନ୍ଦୁଝର