ବାଦାମବାଡ଼ି ବସ ଷ୍ଟାଣ୍ଡରେ ନାହିଁ ବସ୍, ଯାତ୍ରୀ ହନ୍ତସନ୍ତ - 9 ଦଫା ଦାବି ପୁରଣ ନେଇ ଧର୍ମଘଟ
କଟକ: କଟକରେ ଘରୋଇ ବସ ଚଳାଚଳ ବନ୍ଦ । ଯାତ୍ରୀ ନାହିଁ ନଥିବା ଅସୁବିଧାର ସମୁଖୀନ । ସୁନସାନ ବାଦାମବାଡ଼ି ବସଷ୍ଟାଣ୍ଡରେ ହେଉଛି କ୍ରିକେଟ ଖେଳ । ଗୋଟିଏ ହେଲେ ଘରୋଇ ବସ ନାଁ ଆସୁଛି ନାଁ ଯାଉଛି । କେବଳ ସରକାରୀ ମୋ ବସ୍ ଛାଡିଲେ ଘରୋଇ ବସ୍ର ଗମନାଗମନ ଉପରେ ଯେପରି ରୋକ ଲାଗିଛି । ଯାତ୍ରୀମାନେ ନାହିଁ ନ ଥିବା ହଇରାଣ ହେଉଛନ୍ତି । ଗତକାଲି ବସ ଚାଲିବ ବୋଲି ପ୍ରତିଶୃତି ଦେଇଥିଲା ରାଜ୍ୟ ଘରୋଇ ମାଲିକ ସଂଘ । ଆଜି କିନ୍ତୁ ସବୁ ଓଲଟା । କଟକ ଭୁବନେଶ୍ୱର ଗଡୁଛି ମୋ ବସ । ହେଲେ କଟକ ବାଦାମବାଡ଼ିରୁ ଯେଉଁ ବସ ଅନ୍ୟ ଜିଲ୍ଲାକୁ ଯାଏ ତାହା କେତେବେଳେ ଯିବ ତାହା କାହାକୁ ଜଣା ନାହିଁ । ଏହାକୁ ନେଇ ଯାତ୍ରଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଅନ୍ୟପଟେ 9 ଦଫା ଦାବି ପୁରଣ ନେଇ ଆଜିଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧର୍ମଘଟ ଡାକରା ଦେଇଛି ଡ୍ରାଇଭର ସଂଘ । ଏହି ସମୟରେ ରାଜ୍ୟ ବିଭିନ୍ନ ଜିଲ୍ଲାରେ ବିକ୍ଷିପ୍ତ ଭାବେ ଧର୍ମଘଟ, ବିକ୍ଷୋଭ ସହିତ ପ୍ରତିବାଦ ମଧ୍ୟ କରାଯାଉଛି । କେବଳ ଅତ୍ୟାବଶ୍ୟକୀୟ ସେବାକୁ ବାଦ ଦେଲେ ରାସ୍ତାରେ ବ୍ୟବସାୟିକ ଜାନବାହାନ ଚଳାଚଳକୁ ବିରୋଧ କରିଛି ଡ୍ରାଇଭର ସଂଘ । ଏହି ଧର୍ମଘଟ ଯୋଗୁଁ ରେ ବସ, ଟ୍ରକ, ଟ୍ୟାକ୍ସି ଏବଂ ପରିଶେଷରେ ସର୍ବସାଧାରଣ ପରିବହନ ଗୁରୁତର ପ୍ରଭାବିତ ହୋଇଛି ।
ଇଟିଭି ଭାରତ, କଟକ