ଓଡିଶା

odisha

district administration

By

Published : Apr 21, 2023, 9:50 PM IST

ETV Bharat / videos

ସମ୍ବଲପୁରରେ ଶାନ୍ତି ଫେରାଇବାକୁ ଜିଲ୍ଲା ପ୍ରଶାସନର ପ୍ରୟାସ ଜାରି

ସମ୍ବଲପୁର:ସମ୍ବଲପୁରରେ ଶାନ୍ତି ସ୍ଥାପନା ପାଇଁ ଆରମ୍ଭ ହୋଇଛି ଶେଷ ପ୍ରୟାସ । ବର୍ତ୍ତମାନ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୋଟିଏ ପରେ ଗୋଟିଏ ଶାନ୍ତି କମିଟି ବୈଠକ ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି । ସବୁ ସମ୍ପ୍ରଦାୟ ଓ ବର୍ଗଙ୍କୁ ଆଲୋଚନା ମାଧ୍ୟମରେ ଏକତ୍ର କରିବା ପାଇଁ ଚାଲିଛି ଶେଷ ପ୍ରୟାସ । ଯଦି ସମସ୍ତ ଆଲୋଚନା ସକାରାତ୍ମକ ହୁଏ ତେବେ ଆସନ୍ତା 48 ଘଣ୍ଟାରୁ 72 ଘଣ୍ଟା ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ନେଇପାରେ ବୋଲି ସୂଚନା ମିଳିଛି । ତେବେ ମୋବାଇଲ ଇଣ୍ଟରନେଟ ସେବା ଆରମ୍ଭ ସହ ରାତ୍ରିକାଳୀନ କର୍ଫ୍ୟୁ କୋହଳ ପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିପାରେ ଜିଲ୍ଲା ପ୍ରଶାସନ । ଗତ 12 ତାରିଖ ଓ 14 ତାରିଖ ଘଟଣାରେ ସଂପୃକ୍ତ ଥିବା ଆସାମାଜିକ ତତ୍ତ୍ବଙ୍କୁ ଗିରଫ କରୁଛି ପୋଲିସ ।

ବର୍ତ୍ତମାନ ସୁଦ୍ଧା ଗିରଫ ସଂଖ୍ୟା 100ରୁ ଊର୍ଦ୍ଧ୍ୱ ହୋଇଥିବା ବେଳେ ହନୁମାନ ଜୟନ୍ତୀ ସମନ୍ବୟ ସମିତି ସମ୍ପାଦକ ସମୀର ବାବୁଙ୍କୁ ଗତକାଲି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଜିଲ୍ଲାରେ ଲିଜ୍‌ ଲାଇନ ଓ ବ୍ରଡ୍‌ବ୍ୟାଣ୍ଡ ଇଣ୍ଟରନେଟ ସେବାକୁ ଚାଲୁ କରାଯାଇଛି ଓ ଆଜିଠୁ ଏହାକୁ 24ଘଣ୍ଟା ପାଇଁ ଉପଲବ୍ଧ କରାଯାଇଛି । ମୋବାଇଲ ନେଟ୍‌ ସେବାକୁ 22 ତାରିଖ ଦିନ 10ଟା ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ଅନ୍ୟପଟେ ଆଜିଠୁ ସକାଳ 6ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି । ସେହିପରି ଗତ 72 ଘଣ୍ଟା ମଧ୍ୟରେ କୌଣସି ଅପ୍ରୀତିକର ଘଟଣା ଘଟି ନଥିବା ପୋଲିସ ସୂଚନା ଦେଇଛି । 

ବର୍ତ୍ତମାନ ରାସ୍ତାଘାଟ, ଦୋକାନ ବଜାରରେ ଧୀରେଧୀରେ ଭିଡ଼ ଦେଖିବାକୁ ମିଳିଥିବା ବେଳେ ସହରର ପ୍ରାୟ ସମସ୍ତ ସ୍ଥାନରେ ଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଫେରାଇ ଆଣିବା ପାଇଁ ସବୁ ସ୍ତରରେ ଶେଷ ପ୍ରୟାସ ଆରମ୍ଭ ହୋଇଛି । ଅନ୍ୟପଟେ ଆସନ୍ତାକାଲି ମୁସଲମାନ ସମ୍ପ୍ରଦାୟର ଲୋକଙ୍କ ଇଦ୍‌ ପର୍ବ ଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି l  ସହରରେ ବର୍ତ୍ତମାନ 46 ପ୍ଲାଟୁନ ପୋଲିସ ବିଭିନ୍ନ ସ୍ଥାନରେ ମୁତୟନ କରାଯିବା ସହ ସୁରକ୍ଷା ଦୃଷ୍ଟିରୁ ଆସନ୍ତା କାଲି ସାକ୍ଷୀପଡା ସ୍ଥିତ ଇଦଗାହାରେ ସାମୁହିକ ନମାଜ ପାଠକୁ ଜିଲ୍ଲା ପ୍ରଶାସନ ବାରଣ କରିଛି  l  

ଇଟିଭି ଭାରତ, ସମ୍ବଲପୁର  

ABOUT THE AUTHOR

...view details