ହୋଲି ଖେଳିଲେ ଧର୍ମେନ୍ଦ୍ର, ରାଜ୍ୟବାସୀଙ୍କୁ ଜଣାଇଲେ ଶୁଭେଚ୍ଛା
ଭୁବନେଶ୍ବର:ସମ୍ପର୍କୀୟ ଓ ଶୁଭେଚ୍ଛୁଙ୍କ ସହ ହୋଲି ଖେଳିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସାଙ୍ଗରେ ପତ୍ନୀ ମୃଦଳା ମଧ୍ୟ ଥିଲେ । ଧର୍ମେନ୍ଦ୍ର ରାଜ୍ୟବାସୀଙ୍କୁ ରଙ୍ଗର ପର୍ବ ହୋଲିର ଶୁଭେଚ୍ଛା ଜଣାଇଛନ୍ତି । ଧର୍ମେନ୍ଦ୍ର କହିଛନ୍ତି, ‘‘ହୋଲି ସମସ୍ତଙ୍କ ଜୀବନରେ ନୂଆ ରଙ୍ଗ ଓ ଉତ୍ସାହ ଭରୁ । ନୂଆ ଯୋଜନାରେ ଓଡିଶାବାସୀ ଆଗକୁ ବଢ଼ନ୍ତୁ । 2023 ଆମ ସମସ୍ତଙ୍କ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ବର୍ଷ ହେଉ । କାରଣ ଠିକ୍ 13 ବର୍ଷ ପରେ ଆମ ରାଜ୍ୟ ଓଡିଶାକୁ ଭାରତ ବର୍ଷରେ ଭାଷାଭିତ୍ତିକ ରାଜ୍ୟ ଭାବେ 100 ବର୍ଷ ପୂରଣ ହେବ ଓ ଆଉ ଠିକ୍ ତାର 12 ବର୍ଷ ପରେ ଦେଶ ସ୍ବତନ୍ତ୍ରତାର 100 ବର୍ଷ ପୁରଣ କରିବ । ତେଣୁ ଆଗାମୀ 25 ବର୍ଷ ସାଢେ 4 କୋଟି ଓଡିଆଙ୍କ ପାଇଁ ବହୁତ ଦାୟିତ୍ୱର ସମୟ ହେବାକୁ ଯାଉଛି । ଆମ ରାଜ୍ୟକୁ ଏକ ନମ୍ବର କରିବା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2047 ମସିହା ସୁଦ୍ଧା ଭାରତକୁ ବିକଶିତ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ଓଡିଶାକୁ ବିକଶିତ କଲେ, ଭାରତ ବିକଶିତ ହେବ । ଆଜିର ଏହି ପବିତ୍ର ହୋଲି ସଂକଳ୍ପନର ହୋଲି ହେଉ । ନୂଆ ରଙ୍ଗର ହୋଲି ହେଉ।’’ ଏହା ସହ ପତ୍ନୀ ମୃଦଳା ମଧ୍ୟ ଉଭୟ ହୋଲି ଓ ଅନ୍ତର୍ଜାତୀୟ ମହିଳା ଦିବସର ଶୁଭେଚ୍ଛା ଜଣାଇଛନ୍ତି ।