ଓଡିଶା

odisha

ଘୋଷଯାତ୍ରାର 5ମ ଦିନ, ଆଡ଼ପ ମଣ୍ଡପରେ ରାମବଳରାମ ବେଶରେ ଦର୍ଶନ ଦେଲେ ଶ୍ରୀଜିଉ

By

Published : Jun 25, 2023, 10:48 PM IST

Ram Balaram Darshan of holy trinity in Boudh

ବୌଦ୍ଧ:ପ୍ରଵଳ ବର୍ଷା ସତ୍ତ୍ବେ ଆଜି ସନ୍ଧ୍ୟାରେ ଆଡ଼ପ ମଣ୍ଡପରେ ଠାକୁରଙ୍କ ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ଜନ୍ମ ବେଦୀରେ ଶ୍ରୀଜୀଉ ରାମ ବଳରାମ ବେଶରେ ଭକ୍ତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ । ଆଜି ଜିଲ୍ଲା ଗସ୍ତରେ ଥିବା ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଆଡ଼ପ ମଣ୍ଡପରେ ପହଞ୍ଚି ବଡ଼ ଠାକୁରଙ୍କ ଦର୍ଶନ କରିଥିଲେ । ଆଜି ମଧ୍ୟ ଘୋଷଯାତ୍ରାର ପଞ୍ଚମ ଦିନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । କାଳିଆ ସାଆନ୍ତେଙ୍କୁ ଜନ୍ମ ବେଦୀରେ ଦର୍ଶନ ପାଇଁ ବ୍ୟାକୁଳ ଶ୍ରଦ୍ଧାଳୁ । ବର୍ଷାକୁ ଖାତିର ନକରି ଭିଜି ଭିଜି ଶ୍ରଦ୍ଧାଳୁମାନେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ମାଉସୀ ମାଆ ମନ୍ଦିରରେ ପହଞ୍ଚିଥିଲେ ।

ବୌଦ୍ଧ ଜିଲ୍ଲା ସଦର ମହକୁମା ସମେତ ଠିଡିକାଯୋର, ହରଭଙ୍ଗା, ତିଲେଶ୍ବର, ପୁରୁଣାକଟକ, ରାମଗଡ, ନାଏକପଡା, ବୁଟୁପାଲି, ବାଘପାଲି, ନାରାୟଣନଗର, କମିରା, ସାହାଜପାଲ, ବାଉଁଶୁଣୀ, ଦହ୍ୟା, ମନମୁଣ୍ଡା, ପଲସାଗୋରା, କଣ୍ଟାମାଳ, ଘଣ୍ଟାପଡା ଭଳି ଅନେକ ସ୍ଥାନରେ ଆଡପ ମଣ୍ଡପରେ ବଡ ଠାକୁରଙ୍କ ବେଶ ଦର୍ଶନ ପାଇଁ ଭକ୍ତ ଶ୍ରଦ୍ଧାଳୁ ପହଞ୍ଚି ଥିଲେ । କାଳିଆ ଠାକୁରଙ୍କୁ ରାମ ବେଶରେ ଓ ବଡଭାଇ ବଳଭଦ୍ରଙ୍କୁ ବଳରାମଙ୍କ ବେଶରେ ଦର୍ଶନ କରି ଶ୍ରଦ୍ଧାଳୁମାନେ ବେଶ ଆନନ୍ଦ ପ୍ରକାଶ କରିଛନ୍ତି ।

ଏହା ବି ପଢନ୍ତୁ- ବାହୁଡା ପ୍ରସ୍ତୁତି: ନାକଚଣାରେ ତାଳଧ୍ଵଜ ଓ ଦର୍ପଦଳନ, କାଲି ନନ୍ଦିଘୋଷର ହେବ ଦକ୍ଷିଣ ମୋଡ଼

ବୌଦ୍ଧର ଆଡପ ମଣ୍ଡପରେ ବଡ ଠାକୁରଙ୍କ ଦର୍ଶନ ପାଇଁ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ପହଞ୍ଚିଥିଲେ । ଆରଡିସି ସୁରେଶ ଚନ୍ଦ୍ର ଦଳେଇଙ୍କ ସହିତ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ, ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର୍ୟ ଭଞ୍ଜନ ମଦନମୋହନ ପାତ୍ର, ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର କହଁର, ନଗରପାଳ ମୃତୁଞ୍ଜୟ ମିଶ୍ର ପ୍ରମୁଖ ଠାକୁରଙ୍କ ଜନ୍ମ ବେଦୀରେ ପହଞ୍ଚି ବଡ ଠାକୁରଙ୍କ ଦର୍ଶନ କରିଥିଲେ । ସେପଟେ ପ୍ରବଳ ବର୍ଷା ଯୋଗୁଁ ବୌଦ୍ଧର କଚେରୀ ପଡିଆରେ ଖୋଲାଯାଇଥିବା ମୀନା ବଜାର ପ୍ରଭାବିତ ହୋଇଛି । ମେଳା ପଡିଆରେ ଆଣ୍ଠୁଏ ବର୍ଷା ପାଣି ଜମି ରହିଥିବା ବେଳେ ଆଜି ଦିନ ତମାମ ଅଗ୍ନିଶମ ବିଭାଗ ବର୍ଷା ଜଳ ନିଷ୍କାସନ ପାଇଁ ନାକେଦମ ହୋଇଥିଲା । ଫଳରେ ମୀନା ବଜାରକୁ ଆସିଥିବା ବ୍ୟବସାୟୀ ମାନେ ଗଭୀର କ୍ଷତି ହେବାର ଆଶଙ୍କା କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details