କାର୍ତ୍ତିକ ମାସର ଦ୍ୱିତୀୟ ସୋମବାର, ବାବା ଧବଳେଶ୍ବରଙ୍କ ପୀଠରେ ଖଚାଖଚ ଭିଡ଼ - ବାବା ଧବଳେଶ୍ବରଙ୍କ ପୀଠରେ ଖଚାଖଚ ଭିଡ଼
Published : Nov 6, 2023, 11:52 AM IST
କଟକ: ଆଜି କାର୍ତ୍ତିକ ମାସର ଦ୍ବିତୀୟ ସୋମବାର । ସକାଳୁ ସକାଳୁ ଶୈବପୀଠ ଲାଗିଛି ଭକ୍ତଙ୍କ ଗହଳି । ଏଣୁ ଚଳଚଞ୍ଚଳ ହୋଇ ଉଠିଛି ବାବା ଧବଳେଶ୍ଵରଙ୍କ ପୀଠ । ବିଶ୍ବାସ ରହିଛି କାର୍ତ୍ତିକ ସୋମବାରରେ ମହାଦେବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିବା ସହିତ ମାନସିକ ଶାନ୍ତି ମିଳିଥାଏ । ସେଥିପାଇଁ ଆଜି ସକାଳୁ ସକାଳୁ ଶ୍ରଦ୍ଧାଳୁମାନେ ଆସି ବାବା ଧବଳେଶ୍ବରଙ୍କୁ ଦର୍ଶନ କରୁଛନ୍ତି । ଭୋର ୪ଟାରୁ ପହଡ ଖୋଲିଥିଲା। ଏହାପରେ ୧୦୮ ଗରା ଜଳରେ ମହାଦେବଙ୍କୁ ସ୍ନାନ କରାଯାଇ ମଙ୍ଗଳ ଆଳତୀ କରାଯାଇଥିଲା। ପ୍ରତ୍ୟେକ ବର୍ଷ ଏହି ମାସରେ ଶ୍ରଦ୍ଧାଳୁ ମାନଙ୍କର ଏହି ଶୈବପୀଠରେ ଭିଡ଼ ଜମିଥାଏ । ହଜାରହଜାର ଶ୍ରଦ୍ଧାଳୁମାନେ ପୀଠକୁ ଆସି ବାବାଙ୍କର ଦର୍ଶନ କରିଥାଆନ୍ତି । ଶାନ୍ତିଶୃଙ୍ଖଳାର ସହ ଶ୍ରଦ୍ଧାଳୁମାନେ ଯେପରି ଦର୍ଶନ କରିବେ, ସେଥିପାଇଁ ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଚଳିତବର୍ଷ ମନ୍ଦିରରେ ପହଞ୍ଚିବା ପାଇଁ ଡଙ୍ଗାର ଆବଶ୍ୟକତା ପଡ଼ୁନାହିଁ । ଶ୍ରଦ୍ଧାଳୁମାନେ ନୂଆ କଂକ୍ରିଟ ସେତୁ ଦେଇ ଆସି ବାବା ଧବଳେଶ୍ୱରଙ୍କୁ ଦର୍ଶନ କରୁଛନ୍ତି । ଶ୍ରଦ୍ଧାଳୁମାନେ ଯେପରି ଶାନ୍ତି ଶୃଙ୍ଖଳାର ଦର୍ଶନ କରିବେ ସେଥିପାଇଁ ପୂଜକ ସମିତି ଓ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ-Kartik Month: ଆରମ୍ଭ ହେଲା ଧର୍ମମାସ, ଜାଣନ୍ତୁ କାର୍ତ୍ତିକବ୍ରତ ଓ ବାଳଧୂପର ମାହାତ୍ମ୍ୟ
ଇଟିଭି ଭାରତ, କଟକ