ରୋଗୀଙ୍କ ସେବାରେ ସମର୍ପିତ ଯୁବଗୋଷ୍ଠୀ, ଅସହାୟଙ୍କ ପାଇଁ ସାଜିଛନ୍ତି ଦେବଦୂତ - ବାଲେଶ୍ବର ଯୁବଗୋଷ୍ଠୀ ହସ୍ପିଟାଲ ଟିମ
Published : Oct 6, 2023, 10:57 PM IST
ବାଲେଶ୍ବର: "ମାନବ ସେବା ହିଁ ଇଶ୍ବର ସେବା" ଏହି ବାର୍ତ୍ତା ନେଇ ବାଲେଶ୍ଵରର କିଛି ଯୁବଗୋଷ୍ଠୀ ଅସହାୟମାନଙ୍କର ଦେବଦୂତ ସାଜି ସେବା ଯୋଗାଇ ଦେଉଛନ୍ତି । ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସୁଥିବା ଅନେକ ରୋଗୀଙ୍କୁ ଏହି ଯୁବଗୋଷ୍ଠୀ ଡାକ୍ତରଖାନାରେ ଉପଯୁକ୍ତ ବିଭାଗରେ ପହଞ୍ଚାଇବା ଠାରୁ ରୋଗୀମାନଙ୍କୁ ସେବା ଯୋଗାଇବାରେ ସହାୟତା ପ୍ରଦାନ କରୁଛନ୍ତି । ସାଧାରଣ ଲୋକଙ୍କୁ ମେଡିକାଲରେ ସହାୟତା ପ୍ରଦାନ ପାଇଁ ଏହି ଯୁବଗୋଷ୍ଠୀଙ୍କ ଦ୍ୱାରା ଏକ ହ୍ଵାଟ୍ସଆପ ଗ୍ରୁପ କରାଯାଇଛି । ଯାହାର ନାମ ହସ୍ପିଟାଲ ଟିମ ବୋଲି ରଖାଯାଇଛି। ଉକ୍ତ ଗ୍ରୁପରେ ରୋଗୀମାନଙ୍କ ସମ୍ପର୍କିତ ସମସ୍ୟା ବାବଦରେ ପୋଷ୍ଟ ହେଲେ ସଙ୍ଗେସଙ୍ଗେ କିଛି ଯୁବକ ସେମାନଙ୍କୁ ସେବା ଯୋଗାଇବାରେ ଲାଗିପଡ଼ନ୍ତି । ରକ୍ତଦାନ ଠାରୁ ଆରମ୍ଭ କରି ରୋଗୀମାନଙ୍କୁ ଉତ୍ତମ ଚିକିତ୍ସାର ବନ୍ଦୋବସ୍ତ କରାଇଥାନ୍ତି ଏହି ଯୁବଗୋଷ୍ଠୀ । ତେବେ ସକାଳ, ସନ୍ଧ୍ୟା କିମ୍ବା ବିଳମ୍ବିତ ରାତି ହେଉ ସବୁବେଳେ ଏହି ଯୁବଗୋଷ୍ଠୀ ରୋଗୀସେବା ପାଇଁ ତତ୍ପର ଥାଆନ୍ତି । କାହାର ରକ୍ତ ଆବଶ୍ୟକ, କିଏ ଔଷଧ ଆଣିବାରେ ଅସୁବିଧା ଭୋଗୁଛି, କିଏ କୌଣସି ଟେଷ୍ଟ କରିବା ଜାଣି ପାରୁନି ସେ ସବୁ ସହାୟତା ଏହି ଯୁବଗୋଷ୍ଠୀ ଦ୍ୱାରା ଯୋଗାଇ ଦିଆଯାଉଛି । ଏହାସହ ରାସ୍ତା କଡ଼ରେ ଅସହାୟ ହୋଇ ପଡ଼ିଥିବା ଲୋକମାନଙ୍କୁ ଯୁବଗୋଷ୍ଠୀ ମେଡିକାଲ ନେଇ ଚିକିତ୍ସା ସୁବିଧା ଯୋଗାଉଛନ୍ତି । ଦୁର୍ଘଟଣାରେ ଆହତ ବ୍ୟକ୍ତିମାନଙ୍କୁ ମଧ୍ୟ ଷ୍ଟ୍ରେଚରରେ ନେଇ ୱାର୍ଡ ଭିତରେ ସେବା ଯୋଗାଇବାରେ ସହଯୋଗ କରୁଛନ୍ତି। ଏକ ପ୍ରକାର କହିବାକୁ ଗଲେ ମେଡିକାଲରେ ରୋଗୀଙ୍କ ପାଇଁ ସେବା ଯୋଗାଇବାରେ ଏହି ଯୁବଗୋଷ୍ଠୀ ନିଜକୁ ସମର୍ପିତ କରିଛନ୍ତି।
ଏହା ମଧ୍ୟ ପଢ଼ନ୍ତୁ....ଆହତ ଗାଈଗୋରୁଙ୍କ ସେବାରେ ସମର୍ପିତ 'ଆଦର୍ଶ ଯୁବ ପରିଷଦ ସ୍ବେଚ୍ଛାସେବୀ ସଂଗଠନ'
ଇଟିଭି ଭାରତ, ବାଲେଶ୍ବର