Cyclone Biparjoy: ଲ୍ୟାଣ୍ଡଫଲ ପୂର୍ବରୁ ଆରମ୍ଭ ହୋଇଯାଇଛି ବର୍ଷା, ଅଶାନ୍ତ ସମୁଦ୍ର - ବାତ୍ୟା ବିପର୍ଯ୍ୟୟ
ଗାନ୍ଧୀନଗର: ଅତି ଭୀଷଣ ରୂପ ନେଇ ମାଡି ଆସୁଛି ବାତ୍ୟା ବିପର୍ଯ୍ୟୟ। ଗୁରୁବାର ମଧ୍ୟାହ୍ନରେ ଗୁଜୁରାଟର କଚ୍ଛ ଓ ପାକିସ୍ତାନର କରାଚି ମଧ୍ୟରେ ଲ୍ୟାଣ୍ଡ୍ଫଲ୍ କରିବ। ଏହାକୁ ଦୃଷ୍ଟିରେ ରଖି କିଛି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏହାରି ପ୍ରଭାବରେ ଗୁଜୁରାଟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ପବନ ମଧ୍ୟ ବହିବା ଆରମ୍ଭ ହୋଇଯାଇଛି । କଚ୍ଛ ଜିଲ୍ଲାର ନାଲିଆ ଚାଉନରେ ସକାଳୁ ସକାଳୁ ବର୍ଷା ଆରମ୍ଭ ହୋଇଯାଇଛି । ବାତ୍ୟା ଜଖାଉ ପୋର୍ଟରେ ସ୍ଥଳଭାଗ ଛୁଇଁବାର ପୂର୍ବାନୁମାନ କରାଯାଉଥିବାରୁ ଉପକୂଳବର୍ତ୍ତୀ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ସେପଟେ ଧୀରେଧୀରେ ଅଶାନ୍ତ ହେବାରେ ଲାଗିଛି ସମୁଦ୍ର। ତେଣୁ ସମୁଦ୍ରକୁ ଯିବାକୁ ଲୋକଙ୍କୁ ବାରଣ କରାଯାଇଥିବା ବେଳେ ଗୁଜୁରାଟର ନାଭସାରି ଉପକୂଳ ନିକଟରେ ପୋଲିସ ମୁତୟନ କରାଯାଇଛି। ବିପର୍ଯ୍ୟୟ ପରିସ୍ଥିତିର ମୁକାବିଲା ପାଇଁ ଗୁଜୁରାଟକୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି । ସେପଟେ ବିପର୍ଯ୍ୟୟର ପ୍ରଭାବ ରାଜ୍ୟର ଅନ୍ୟ କେତେକ ଉପକୂଳ ଅଞ୍ଚଳରେ ବି ଦେଖିବାକୁ ମିଳିଛି । ଜୁନାଗଡ଼ ଓ ସୋମନାଥ ଜିଲ୍ଲାରେ 2.5 ଇଞ୍ଚ୍ ବର୍ଷା ହୋଇଥିବା ସୂଚନା ମିଳିଛି । ଫଳରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି ।