Clay Statue of President: ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ପ୍ରତିଷ୍ଠା ହେବ ମାଟି ପ୍ରତିମୂର୍ତ୍ତୀ, କଟକରେ ଚାଲିଛି ତିଆରି - ରାଷ୍ଟ୍ରପତିଙ୍କ ପ୍ରତିମୂର୍ତ୍ତି ନିର୍ମାଣ
କଟକ: ଓଡିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିପାଇଁ ସମଗ୍ର ଓଡ଼ିଶା ଚଳଚଞ୍ଚଳ ଥିବା ବେଳେ କଟକରେ ନିର୍ମିତ ମହାମହିମଙ୍କ ଅବିକଳ ମାଟି ପ୍ରତିମୂର୍ତ୍ତୀ ପାଲଟିଛି ବିଶେଷ ଆକର୍ଷଣ । ଓଡ଼ିଆ ଝିଅ ମହାମହିମଙ୍କ ପ୍ରତିମା ନିର୍ମାଣ କରୁଛନ୍ତି ଲକ୍ଷ୍ମୀଧର ରଣା । ତେବେ ଏହି ପ୍ରତିମୂର୍ତ୍ତୀଟି ପାଖାପାଖି ସାଢେ଼ ପାଞ୍ଚଫୁଟ ଉଚ୍ଚା ଓ ସାଢେ଼ ତିନି ଫୁଟ ଚୌଡ଼ା ହୋଇଥିବା ବେଳେ ଏହା ମାଟିରେ ନିର୍ମାଣ ହୋଇଛି । ଏଥିସହ ଚେୟାରଟି ଲୁହା ଫ୍ରେମରେ ନିର୍ମାଣ କରାଯାଇଛି । ଦୀର୍ଘ 8ଦିନ ଧରି କଠିନ ପରିଶ୍ରମ ରେ ନିର୍ମାଣ କରାଯାଇଥିବା ପ୍ରତିମୂର୍ତ୍ତୀ ଆଜି ରାତିରେ ବାରିପଦା ଅଭିମୁଖେ ବାହାରିବ।
ତେବେ ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ଵ ବିଦ୍ୟାଳୟର ଲାଇବ୍ରେରୀରେ ସ୍ଥାପିତ ହେବାକୁ ଥିବା ଏହି ଭବ୍ୟ ପ୍ରତିମୂର୍ତ୍ତିକୁ ଆସନ୍ତା 6 ତାରିଖ ଦିନ ନିଜ କରକମଳରେ ଉଦ୍ଘାଟନ କରିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପୂର୍ବରୁ ବିଭିନ୍ନ ବ୍ରୋଞ୍ଚ ପ୍ରତିମୂର୍ତ୍ତୀ ଓ ବିଭିନ୍ନ ପ୍ରତିମୂର୍ତ୍ତୀ ନିର୍ମାଣ କରି ପ୍ରସିଦ୍ଧି ଲାଭ କରିଥିବା କଟକ କାଠଗଡା ସାହିର ଲକ୍ଷ୍ମୀଧର ରଣା ରାଷ୍ଟ୍ରପତିଙ୍କ ଅବିକଳ ପ୍ରତିମୂର୍ତ୍ତୀ ନିର୍ମାଣ କରି ବେଶ୍ ଗର୍ବ ଅନୁଭବ କରିଛନ୍ତି। ଏଥିସହ ଶିଳ୍ପୀଙ୍କୁ ନେଇ ଗର୍ବ କରିଛନ୍ତି ସାଥି କଳାକାର। ଦେଶର ପ୍ରଥମ ନାଗରିକଙ୍କ ପ୍ରତିମୂର୍ତ୍ତୀ ନିର୍ମାଣ କରିବା ଏବଂ ସେହି ପ୍ରତିମୂର୍ତ୍ତୀ କୁ ନିଜେ ରାଷ୍ଟ୍ରପତି ନିଜର କରକମଳରେ ଉଦ୍ଘାଟନ କରିବା ଅତି ସୌଭାଗ୍ୟର ବିଷୟ ବୋଲି କହିଛନ୍ତି ଶିଳ୍ପୀ ଲକ୍ଷ୍ମୀଧର ରଣା।
ସେହିପରି ଓଡ଼ିଶାର ଖ୍ୟାତନାମା ଭସ୍କର୍ଯ୍ୟଶିଳ୍ପୀ ଲକ୍ଷ୍ମୀଧର ରଣାଙ୍କ ଏହି ପ୍ରତିମୂର୍ତ୍ତି ମହାମହିମ ରାଷ୍ଟ୍ରପତିଙ୍କ ସମେତ ସମସ୍ତଙ୍କ ମନକୁ ଛୁଇଁ ପାରିବ ବୋଲି ଆଶା ଓ ବିଶ୍ୱାସ ରଖିଛନ୍ତି କଟକବାସୀ। ଏଥିରେ ୪ ରୁ ୫ କୁଇଣ୍ଟାଲ ମାଟି ର ବ୍ୟବହାର କରାଯିବା ସହ ଛଣ, ଅଖା ଓ ଫାଇବରର ବ୍ୟବହାର କରାଯାଇଛି ବୋଲି ଶିଳ୍ପୀ ମତାମତ ଦେଇଛନ୍ତି। ଏହି ମୂର୍ତ୍ତୀଟିକୁ ତିଆରି କରିବା ପାଇଁ ତାଙ୍କୁ ୧୦ ଦିନ ପୂର୍ବରୁ ବରାଦ ଦିଆ ଯାଇଥିବା ବେଳେ ସେ ଏହାକୁ ୮ ଦିନ ମଧ୍ୟ ରେ ପୂର୍ଣ୍ଣାଙ୍ଗ କରି ଆଜି ଗନ୍ତବ୍ୟ ସ୍ଥଳ କୁ ପଠାଇବେ ବୋଲି ମତ ପ୍ରକାଶ କରିଛନ୍ତି। ଏହାର ମୂଲ୍ୟ ପ୍ରାୟ ୨.୫ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ଇଟିଭି ଭାରତ,କଟକ