ଓଡିଶା

odisha

President Droupadi Murmu painting

ETV Bharat / videos

କଟକ ଝିଅ ମୋନାଲିସାଙ୍କ ନିଖୁଣ କଳାକୃତି, ଚାରକୋଲରେ ମ୍ୟାଡାମ୍ ପ୍ରେସିଡେଣ୍ଟଙ୍କ ଅବିକଳ ଚିତ୍ର

By

Published : Feb 11, 2023, 5:28 PM IST

Updated : Feb 14, 2023, 11:34 AM IST

କଟକ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜିଲ୍ଲା ସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ (NRRI)କୁ ଶନିବାର ଉଦଘାଟିତ କରିଛନ୍ତି । ରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ଲକ୍ଷ୍ୟରେ ରଖି ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟର ଛାତ୍ରୀ ମୋନାଲିସା ପୃଷ୍ଟି ରାଷ୍ଟ୍ରପତିଙ୍କ ଅବିକଳ ଚିତ୍ର ସହ ଏଠାରେ ପହଞ୍ଚିଛନ୍ତି । ସେ ଚାରକୋଲରେ ରାଷ୍ଟ୍ରପତିଙ୍କ ଅବିକଳ ଚିତ୍ର ଆଙ୍କିଥିବା ବେଳେ ମ୍ୟାଡାମ ପ୍ରେସିଡେଣ୍ଟକୁ ଭେଟିବା ପାଇଁ ମଧ୍ୟ ଉଦ୍ୟମ କରିଛନ୍ତି । ରାଷ୍ଟ୍ରପତି ଜଣେ ଓଡ଼ିଆ ହୋଇ ଭାରତବର୍ଷକୁ ଚଳାଇବା ନିହାତି ଗର୍ବର ବିଷୟ ବୋଲି କହିଛନ୍ତି ଛାତ୍ରୀ ମୋନାଲିସା ।  

ରାଷ୍ଟ୍ରପତି ୨ଦିନିଆ ଓଡ଼ିଶା ଗସ୍ତରେ କଟକ ଜିଲ୍ଲାକୁ ଗସ୍ତ କରିଛନ୍ତି । ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟରରେ NRRI ପରିସରରେ ପହଞ୍ଚିଥିଲେ ରାଷ୍ଟ୍ରପତି । ସେପଟେ ରାଷ୍ଟ୍ରପତିଙ୍କୁ ଭେଟିବା ସହ ଅନେକ ଉପହାର ଦେବା ଉଦ୍ଦେଶ୍ୟରେ ଅନେକ ଲୋକ NRRI ବାହାରେ ଅପେକ୍ଷାରତ ରହିଥିଲେ। ଏହି ସମୟରେ ରାଷ୍ଟ୍ରପତିଙ୍କ ଅବିକଳ ଚିତ୍ର ଧରିଥିବା ଏକ ଯୁବତୀଙ୍କୁ ଦେଖିବାକୁ ମିଳିଥିଲା । ତେବେ ଉକ୍ତ ଯୁବତୀ ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟର ମୋନାଲିସା ପୃଷ୍ଟି ବୋଲି ଜଣାପଡ଼ିଛି । ସେ ଚାରକୋଲରେ ରାଷ୍ଟ୍ରପତିଙ୍କ ଏକ ସୁନ୍ଦର ଚିତ୍ର ଆଙ୍କି ଏହାକୁ ରାଷ୍ଟ୍ରପତିଙ୍କୁ ଉପହାର ଦେବା ଆଶାରେ ଏଠାକୁ ଆସିଥିଲେ । ଏହାସହ ଚିତ୍ର ଉପରେ ରାଷ୍ଟ୍ରପତିଙ୍କ ଦସ୍ତଖତ ନେବା ଲାଗି ଆଶା ରଖିଥିବା କହିଥିଲେ।

ଏହା ବି ପଢନ୍ତୁ-କଟକ NRRIରେ ରାଷ୍ଟ୍ରପତି, ଭାରତୀୟ ଦ୍ବିତୀୟ ଧାନ କଂଗ୍ରେସର କଲେ ଉଦଘାଟନ

ଛାତ୍ରୀ ମୋନାଲିସା ସ୍ଥାନୀୟ ଚାଉଳିଆଗଞ୍ଜ ଅଞ୍ଚଳର ବାସିନ୍ଦା । ତାଙ୍କ କହିବାନୁସାରେ , ନିଦରେ ଶୋଇଥିବା ବେଳେ ହଠାତ ତାଙ୍କ ମାଆ ଡାକିଥିଲେ । ଆଉ ରାଷ୍ଟ୍ରପତି ଘର ପାଖକୁ ଆସୁଛନ୍ତି ବୋଲି କହିଥିଲେ। ଏହା ଶୁଣିବା ପରେ ମୋନାଲିସା ସଙ୍ଗେସଙ୍ଗେ ପ୍ରସ୍ତୁତ ହୋଇ ଚାରକୋଲରେ ତିଆରି କରିଥିବା ନିଖୁଣ ରାଷ୍ଟ୍ରପତିଙ୍କ ଚିତ୍ରକୁ ଧରି NRRI ସାମ୍ନାରେ ପହଞ୍ଚିଥିଲେ । ତେବେ ଚିତ୍ରଟି ଏତେ ମନୋରମ ରହିଥିଲା ଯେ ଅବିକଳ ପରି ମଧ୍ୟ ପ୍ରତିତ ହେଉଥିଲା ।  

ତେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୧ ଘଣ୍ଟାର କାର୍ଯ୍ୟକାଳ ମଧ୍ୟରେ ମୋନାଲିସା ସେହି ଛବିକୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପଠେଇବା ପାଇଁ ଚେଷ୍ଟା କରିଥିଲେ। ଏହି ଅବସରରେ ମୋନାଲିସା କହିଥିଲେ, "ଜଣେ ଓଡ଼ିଆ ମହିଳା ରାଷ୍ଟ୍ରପତି ହୋଇକି ଦେଶ ଚଳାଇବା ଆମମାନଙ୍କ ଭଳି ଯୁବତୀ ମାନଙ୍କ ପାଇଁ ଏକ ପ୍ରେରଣାର ଉତ୍ସ" । ଅନ୍ୟପଟେ ମୋନାଲିସାଙ୍କ ଚିତ୍ରକୁ ସେଠାରେ ଉପସ୍ଥିତ ଥିବା ଲୋକମାନେ ମଧ୍ୟ ବେଶ ପ୍ରଶଂସା କରିଥିଲେ ।  

ଇଟିଭି ଭାରତ, କଟକ

Last Updated : Feb 14, 2023, 11:34 AM IST

ABOUT THE AUTHOR

...view details