ମହିଳାଙ୍କୁ ଟାଣିନେଲା କୁମ୍ଭୀର; କେବେ ଚେତିବ ବନବିଭାଗ ? - କେନ୍ଦ୍ରାପଡ଼ା ଜିଲ୍ଲାରେ ଥମୁନି କୁମ୍ଭୀର ଆତଙ୍କ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ଥମୁନି କୁମ୍ଭୀର ଆତଙ୍କ । ମାତ୍ର ସପ୍ତାହେ ଅନ୍ତରରେ ପୁଣି ଜଣେ କୁମ୍ଭୀର ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଗତ ୧୪ ତାରିଖ ପ୍ରହିଲି ରଜ ଦିନ ପଟ୍ଟାମୁଣ୍ଡାଇ ଥାନା ନିମପୁର ଗାଁରୁ ଜଣେ ୧୦ ବର୍ଷୀୟ ନାବାଳକକୁ କୁମ୍ଭୀର ଟାଣି ନେଇ ମାରି ଦେଇଥିଲା । ଆଜି ରାଜନଗର ଥାନା ଚାନ୍ଦି ବାଉଁଶମୂଳ ପଞ୍ଚାୟତରେ ପୁଣିଥରେ ଏଭଳି ଘଟଣା ସାମ୍ନାକୁ ଆସିଛି ।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ମୁତାବକ, ଆଜି ମଧ୍ୟାହ୍ନ ସମୟରେ ଏହି ପଞ୍ଚାୟତ ଅଧିନ ହାତିଆଗଡ଼ି ଗାଁର ବାଇଧର ଦାସଙ୍କ ସ୍ତ୍ରୀ ନଳିନୀ ଦାସ (୪୫) ହାତୀଆଗଡିର ଚଡ଼ଦିଆ ଏକ ନାଳରେ ଗାଧୋଉଥିବା ବେଳେ ଏକ କୁମ୍ଭୀର ତାଙ୍କୁ ଗଭୀର ପାଣି ଭିତରକୁ ଟାଣି ନେଇ ଯାଇଥିଲା । ଜୀବନ ବଞ୍ଚାଇବା ପାଇଁ ମହିଳା ଜଣଙ୍କ ଖୁବ ସଂଘର୍ଷ କରି ଚିତ୍କାର କରିଥିଲେ ହେଁ କୁମ୍ଭୀର ତାଙ୍କୁ ଲାଞ୍ଜରେ ପିଟି ଗଭୀର ପାଣିକୁ ନେଇ ଯାଇଥିଲା । ତେବେ ଏପର୍ଯ୍ୟନ୍ତ ମହିଳା ଜଣଙ୍କର ପତ୍ତା ମିଳି ପାରିନାହିଁ । ଅନ୍ୟପଟେ ବନବିଭାଗ, ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକେ ନଳିନୀଙ୍କୁ ଖୋଜିବାରେ ଲାଗିଛନ୍ତି ।
ଏବେ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ କୁମ୍ଭୀର ମାନଙ୍କ ପ୍ରଜନନ ଋତୁ ଚାଲିଥିବା କାରଣରୁ କୁମ୍ଭୀର ମାନେ ଅଧିକ ହିଂସ୍ର ହୋଇଥାନ୍ତି । ଅନ୍ୟପକ୍ଷରେ ଲୋକମାନଙ୍କୁ ବନବିଭାଗ ସଚେତନ କରାଉଥିବା କହୁଥିବା ବେଳେ ଏହା କେବଳ କାଗଜ କଲମରେ ସୀମିତ ବୋଲି ଅଭିଯୋଗ ହୋଇଆସୁଛି । ଲୋକମାନଙ୍କ ସ୍ନାନ ତୁଠ ଇତ୍ୟାଦି ଜାଗା ମାନଙ୍କରେ ତାରବାଡ଼ ବୁଲା ଯାଇଥିଲେ ହୁଏତ ଏଭଳି ଘଟଣା ଘଟୁନଥାନ୍ତା ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।
ଇଟିଭି ଭାରତ, କେନ୍ଦ୍ରାପଡ଼ା