ରାଉରକେଲାରେ ବିଜୁଳି ବିଭ୍ରାଟକୁ ନେଇ CPIMର ବିକ୍ଷୋଭ ପ୍ରଦର୍ଶନ - ବିଦ୍ୟୁତ କାଟକୁ ନେଇ ଦେଖାଦେଇଛି ଅସନ୍ତୋଷ
ରାଉରକେଲା: ଘନ ଘନ ଅଘୋଷିତ ବିଦ୍ୟୁତ କାଟକୁ ନେଇ ଦେଖାଦେଇଛି ଅସନ୍ତୋଷ । ରାଜ୍ୟ ସରକାର ଏବଂ ଟାଟା ପାୱାର ବିରୋଧରେ ରାସ୍ତାକୁ ଓହ୍ଲାଇଲା ସିପିଆଇଏମ । ଗୁରୁବାର ରାଉରକେଲା ଉଦିତନଗର ସ୍ଥିତ ଟାଟା ପାୱାର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଗର୍ଜିଛି ସିପିଆଇଏମ । ରାଉରକେଲା ଏବଂ ରଘୁନାଥପଲ୍ଲୀ ସିପିଆଇଏମ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସହର ଓ ଏହାର ଆଖପାଖ ଗ୍ରାମାଞ୍ଚଳରେ ଅଘୋଷିତ ବିଜୁଳି କାଟ୍ ସମସ୍ୟା ଦୀର୍ଘବର୍ଷ ହେଲା ଲାଗିରହିଛି । କିନ୍ତୁ ଏନେଇ ସରକାରଙ୍କ ନିକଟରେ ଜବାବ ନାହିଁ ବୋଲି ଅଭିଯୋଗ କରିଛି ସିପିଆଇଏମ । ଘନଘନ ବିଜୁଳି କାଟ ଲୋକଙ୍କୁ ହଇରାଣ କରୁଛି । ବର୍ତ୍ତମାନ ବର୍ଷା ଋତୁ ଆରମ୍ଭ ହେଲେ ପରେ ମଧ୍ୟ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ଏବଂ ଟାଟା ପାୱାର କର୍ତ୍ତୃପକ୍ଷ ଲୋକଙ୍କୁ ହଇରାଣ କରିବା ଛାଡୁନାହାନ୍ତି । ଯାହାଫଳରେ ଏହି ଅଞ୍ଚଳବାସୀଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏହାସହ ଟାଟା ପାୱାର ନିଜର କାର୍ଯ୍ୟ ପନ୍ଥାରେ ସ୍ଵଚ୍ଛତା ଦେଖାଉ ନାହିଁ । ବିଜୁଳି ବିଲ ଠାରୁ ଆରମ୍ଭ କରି ବିଲ ଜେନେରେଟ ଏବଂ ମିଟର ସ୍ଥାପନରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି । ତେବେ ରାଜ୍ୟରେ ସମସ୍ତ ପରିବାର କୁ ୨୦୦ ୟୁନିଟ ବିଜୁଳି ଦେୟମୁକ୍ତ କରିବା, ବିଦ୍ୟୁତ ଦରବୃଦ୍ଧିକୁ ରୋକିବା, ବାରମ୍ବାର ବିଜୁଳି କାଟ ବନ୍ଦ କରିବା, ମିଟର ରିଡିଙ୍ଗ ଏବଂ ବିଲିଂରେ ସ୍ଵଚ୍ଛତା ଆଣିବା ଆଦି ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲା ସିପିଆଇଏମ ।
ଇଟିଭି ଭାରତ, ସୁନ୍ଦରଗଡ