ପ୍ରସ୍ତୁତି ପଥରେ ବିଶ୍ୱର ସର୍ବୋଚ୍ଚ ରଥ ନନ୍ଦିଘୋଷ ! ବଳଦେବଜୀଉଙ୍କ ଆଜ୍ଞା ପରେ ଚାଲିଛି ରଥ ନିର୍ମାଣ - ବିଶ୍ବର ସର୍ବ ବୃହତ୍ ରଥ
କେନ୍ଦୁଝର: ଗିନିଜ୍ ବୁକ୍ ଅଫ୍ ୱାଲର୍ଡ ରେକର୍ଡରେ ସ୍ଥାନ ପାଇଥିବା ବିଶ୍ବର ସର୍ବ ବୃହତ୍ ରଥ ନିର୍ମାଣରେ ରହିଛି ନିଆରା ପରମ୍ପରା । ଅନ୍ୟ ସ୍ଥାନରେ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିଲେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ । ହେଲେ କେନ୍ଦୁଝରରେ ରହିଛି ଭିନ୍ନ ପରମ୍ପରା । ରଥ ନିର୍ମାଣ କାର୍ଯ୍ୟ ଆରମ୍ଭରୁ ଏଠାରେ ନିଜେ ପ୍ରଭୁ ଶ୍ରୀ ବଳଦେବଜୀଉ ରଥ ନିକଟକୁ ଯାଇ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ଆଜ୍ଞା ପ୍ରଦାନ କରିଥାନ୍ତି ।
ବିଧି ଅନୁଯାୟୀ, ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୁଏ ରଥ ନିର୍ମାଣ କାର୍ଯ୍ୟ । କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉଙ୍କର ରଥ ନିର୍ମାଣ କାର୍ଯ୍ୟ ଏଥିରୁ ବାଦ୍ ପଡ଼ିନାହିଁ । ପରମ୍ପରା ଅନୁସାରେ କେନ୍ଦୁଝରରେ ପ୍ରଭୁ ଶ୍ରୀ ବଳଦେବଜୀଉ ସ୍ୱୟଂ ରଥ ନିକଟରେ ବିରାଜମାନ ହୋଇ ରଥକାର୍ଯ୍ୟ ଆରମ୍ଭ କରିବାକୁ ଆଜ୍ଞା ଦେଇଥାନ୍ତି । ସନ୍ଧ୍ୟା ସମୟରେ ବିମାନ ଶୋଭାଯାତ୍ରାରେ ସୁଦର୍ଶନଙ୍କ ସହ ପ୍ରଭୁ ଶ୍ରୀବଳଦେବଜୀଉ ରଥ ନିକଟରେ ପହଞ୍ଚିଥାନ୍ତି । ସେଠାରେ ପୂଜାର୍ଚ୍ଚନା ପରେ ମୁଖ୍ୟ ମହାରଣା ଆରମ୍ଭ କରିଥାନ୍ତି ରଥ ନିର୍ମାଣ କାର୍ଯ୍ୟ । ଯେହେତୁ କେନ୍ଦୁଝର ରଥ ନୂତନ ଭାବେ ନିର୍ମାଣ ହୁଏ ନାହିଁ, କେବଳ ଏହା ମରାମତି ହୋଇଥାଏ । ଏଣୁ ଏହି ମରାମତି କାର୍ଯ୍ୟ ନେତ୍ରୋତ୍ସବ ପୂର୍ବରୁ ସମାପନ ହୋଇଥାଏ ।
ଏକ ହଜାର ବର୍ଷରୁ ପୁରୁଣା କେନ୍ଦୁଝରରେ ଜଗନ୍ନାଥ ସଂସ୍କୃତି ଓ ପରମ୍ପରା । ସେବେଠାରୁ ଚାଲି ଆସିଛି ଏଠାରେ ମହାପ୍ରଭୁଙ୍କ ରଥଯାତ୍ରା । କୁହାଯାଏ ୧୬୭୧ ମସିହାରେ କେନ୍ଦୁଝରର ଆରାଧ୍ୟ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କର ଭବ୍ୟ ମନ୍ଦିର ପ୍ରତିଷ୍ଠା ହେବା ପରେ ୭୨ ଫୁଟ୍ ଉଚ୍ଚତା ଓ ୪୫ ଫୁଟ୍ ଦୈର୍ଘ୍ୟ ବିଶିଷ୍ଟ ରଥ ନିର୍ମାଣ ହୋଇଥିଲା । ଯାହାର ନାମକରଣ କରାଯାଇଥିଲା ନନ୍ଦିଘୋଷ ରଥ । ୮ ଫୁଟ୍ ଉଚ୍ଚତା ବିଶିଷ୍ଟ ୧୬ଟି ଚକ ଏହି ରଥରେ ଲାଗିଥାଏ । ଏହି ରଥକୁ ଟାଣିବା ପାଇଁ ଭୂୟାଁ, ଜୁଆଙ୍ଗମାନଙ୍କ ଦ୍ବାରା ତିଆରି ସିଆଳି ଦଉଡ଼ି ବ୍ୟବହାର କରାଯାଏ । ରାଜାଙ୍କୁ ଏହି ଜନଜାତିଙ୍କ ଅନୁରୋଧକ୍ରମେ ରଥଯାତ୍ରା ପରେ ରଥକୁ ଖୋଲାଯାଏ ନାହିଁ । ସେମାନଙ୍କ ପାଇଁ ଅକ୍ଷୟ ତୃତୀୟା ପର୍ଯ୍ୟନ୍ତ ମନ୍ଦିର ସମ୍ମୁଖରେ ରଥ ଦଣ୍ଡାୟମାନ ଅବସ୍ଥାରେ ରହିଥାନ୍ତି । ତେବେ ପ୍ରଶାସନ ସହାୟତାରେ ଏବେ ସୁରୁଖୁରୁରେ ଚାଲିଛି ରଥ ନିର୍ମାଣ ।
ଇଟିଭି ଭାରତ, କେନ୍ଦୁଝର