ଓଡିଶା

odisha

By

Published : Jan 29, 2023, 8:05 PM IST

Updated : Feb 3, 2023, 8:39 PM IST

ETV Bharat / videos

ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ଼ ଘଟଣା: ଆପୋଲୋରେ ପହଞ୍ଚିଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ସାଲୁଜା

ଭୁବନେଶ୍ବର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଏୟାରଲିଫ୍ଟ କରି ଭୁବନେଶ୍ବର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ରାଜ୍ୟର ଅନ୍ୟାନ୍ୟ ନେତା ତଥା ମନ୍ତ୍ରୀ ଓ ବିଧାୟକମାନେ ହସ୍ପିଟାଲରେ ପହଞ୍ଚି ନବ ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝୁଛନ୍ତି । ଏହି କ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ଆପୋଲୋ ହସ୍ପିଟାଲରେ ପହଞ୍ଚି ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ସେପଟେ ଅସ୍ତ୍ରୋପଚାର ପରେ ମନ୍ତ୍ରୀଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି ।

ବ୍ରଜରାଜନଗର ଗସ୍ତବେଳେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ହୋଇଛି । ଗୁରୁତର ଅବସ୍ଥାରେ ମନ୍ତ୍ରୀଙ୍କୁ ପ୍ରଥମେ ଝାରସୁଗୁଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ବର ଆପୋଲୋ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସ୍ବାସ୍ଥ୍ୟମନ୍ତ୍ରୀ ବ୍ରଜରାଜନଗର ଯାଉଥିବାବେଳେ ଗାନ୍ଧି ଛକ ନିକଟରେ ମନ୍ତ୍ରୀଙ୍କ ସୁରକ୍ଷା ପାଇଁ ନିୟୋଜିତ ଜଣେ ପୋଲିସ ଏଏସ୍‌ଆଇ ତାଙ୍କୁ ଗୁଳି ମାଡ଼ କରିଛନ୍ତି । ଗୁଳିମାଡ଼ କରିଥିବା ପୋଲିସ ଏଏସ୍‌ଆଇଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ସେପଟେ ମୁଖ୍ୟମନ୍ତ୍ରୀ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିବାବେଳେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ସ୍ବତନ୍ତ୍ର କ୍ରାଇମବ୍ରାଞ୍ଚ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ସେପଟେ ଭୁବନେଶ୍ବର ଆପୋଲୋ ହସ୍ପିଟାଲରେ ସ୍ବାସ୍ଥ୍ୟମନ୍ତ୍ରୀ ଭର୍ତ୍ତି ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେଠାରେ ପହଞ୍ଚିଥିଲେ । ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଆଶୁ ଆରୋଗ୍ଯ କାମନା କରିବା ସହ ପରିସ୍ଥିତି ଉପରେ ନଜର ରଖିଛନ୍ତି ମୁଖ୍ୟମନ୍ତ୍ରୀ । ସେହିଭଳି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆପୋଲୋ ହସ୍ପିଟାଲ ପରିସରରେ ପହଞ୍ଚି ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବିଧାୟକ ଉମା ସାମନ୍ତରାୟ, ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ଓ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ପ୍ରମୁଖ ଆପୋଲୋ ହସ୍ପିଟାଲରେ ପହଞ୍ଚି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଅନ୍ୟପଟେ ଏଭଳି ଘଟଣା ପାଇଁ ଗୃହ ବିଭାଗର ତ୍ରୁଟି ଦର୍ଶାଇ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ସେ କହିଛନ୍ତି, "ଗୃହ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ରହିଛି । ସେ ଯେତେବେଳେ ତାଙ୍କ କ୍ୟାବିନେଟ ମନ୍ତ୍ରୀଙ୍କୁ ସୁରକ୍ଷା ଦେଇ ପାରୁ ନାହାନ୍ତି, ସାଧାରଣ ମଣିଷ କେତେ ସୁରକ୍ଷିତ । ରାଜ୍ୟ ସରକାରଙ୍କ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ମନ୍ତ୍ରୀ ଏବେ OTରୁ ICUକୁ ସ୍ଥାନାନ୍ତର ହୋଇଛନ୍ତି । ଆଶା କରୁଛୁ ଘଣ୍ଟାଏ ଦୁଇ ଘଣ୍ଟା ଭିତରେ ସ୍ଥିତି ଟିକେ ବଦଳିବ" । ତେବେ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇ ମୁଖ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ସାଲୁଜା ।

ଇଟିଭି ଭାରତ, ଭୁବନେଶ୍ବର 

Last Updated : Feb 3, 2023, 8:39 PM IST

ABOUT THE AUTHOR

...view details