ଦେଓଗାଁ ବ୍ଲକରେ ଅଧ୍ୟକ୍ଷଙ୍କ ମନମାନି, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ସମିତି ସଭ୍ୟ - ଦେଓଗାଁ ବ୍ଲକ ସମିତି ସଭ୍ୟ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ
Published : Nov 30, 2023, 6:44 AM IST
ବଲାଙ୍ଗୀର: ଜିଲ୍ଲାର ଦେଓଗାଁ ବ୍ଲକରେ ପୁଣି ସମିତି ସଭ୍ୟ ଓ ବ୍ଲକ ଅଧ୍ୟକ୍ଷଙ୍କ ମଧ୍ୟରେ ଦେଖା ଦେଇଛି ବିବାଦ । ଯେଉଁଥିରେ ବ୍ଲକର ଉପାଧ୍ୟକ୍ଷା ଓ କିଛି ସମିତି ସଭ୍ୟ ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ବ୍ଲକରେ ବ୍ଲକ୍ ଅଧ୍ୟକ୍ଷଙ୍କ ମନମାନି ଚାଲିଥିବା ବେଳେ ସବୁ ଉନ୍ନୟନ କାମ ଠପ ହୋଇ ଯାଇଥିବାର ସେମାନେ ଅଭିଯୋଗ କରିଛନ୍ତି । ତେବେ ଆଜି ଏହି ବ୍ଲକର ଉପାଧ୍ୟକ୍ଷା ସୂର୍ଯ୍ୟକାନ୍ତି ଛତ୍ରିଆ ଓ ତାଙ୍କ ସହଯୋଗୀ ସମିତି ସଭ୍ୟମାନେ ଏହି ଅଭିଯୋଗ ଆଣିଛନ୍ତି । ସେମାନେ ଅଭିଯୋଗ ନେଇ ବଲାଙ୍ଗୀର ଜିଲ୍ଲାପରିଷଦ କାର୍ଯ୍ୟାଳୟ ସିଡିଓଙ୍କ ପାଖରେ ଫେରାଦ ହୋଇଛନ୍ତି ।
ତେବେ ବ୍ଲକ ଉପାଧ୍ୟକ୍ଷା କହିଛନ୍ତି ଯେ, ବ୍ଲକର ସବୁ ଉନ୍ନୟନ କାମରେ ବାଧା ସୃଷ୍ଟି ହୋଇଛି । ଏହାର କାରଣ ବ୍ଲକ ଅଧ୍ୟକ୍ଷ ଫାଇଲ ସବୁ ପକେଇ ରଖୁଛନ୍ତି । ଏହି ଅଭିଯୋଗ ବାରମ୍ବାର ଆସିବାରୁ ସେ ଅଧ୍ୟକ୍ଷଙ୍କୁ ଦେଖା କରିଥିଲେ । ହେଲେ ଅଧ୍ୟକ୍ଷ କୌଣସି ଫାଇଲ ଉପରେ ଦସ୍ତଖତ କରିବେ ନାହିଁ ବୋଲି ସଫା ମନା କରି ଦେଇଥିବା ସେ କହିଛନ୍ତି । ତେଣୁ ସେ ପ୍ରଥମେ ସ୍ଥାନୀୟ ବିଡିଓଙ୍କୁ ଅଭିଯୋଗ କରିବା ପରେ ଆଜି ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଛନ୍ତି । ଜିଲ୍ଲାପରିଷଦ କାର୍ଯ୍ୟାଳୟ ସିଡିଓଙ୍କୁ ଦେଖାକରି ଅଭିଯୋଗ କରିଛନ୍ତି । ନିୟମ ଅନୁସାରେ ବ୍ଲକ ଅଧ୍ୟକ୍ଷ ଦସ୍ତଖତ ନକଲେ ମଧ୍ୟ ବିଡିଓ ତାହାକୁ ନେଇ ସିଧା ସଳଖ କର୍ଯ୍ୟାନୁଷ୍ଠାନ ନେଇ ପାରିବେ । ଅଟକି ପଡିଥିବା ଫାଇଲ ସବୁ ଉପରେ ଶୀଘ୍ର ପଦକ୍ଷେପ ନେବାକୁ ଦାବି କରିଛନ୍ତି ।
ଦେଓଗାଁ ବ୍ଲକରେ ସମିତି ସଭ୍ୟ ଓ ବ୍ଲକ ଅଧ୍ୟକ୍ଷ ମଧ୍ୟରେ ବିବାଦ ନୂଆ ନୁହେଁ । ପୂର୍ବରୁ ଜଣେ ସମିତି ସଭ୍ୟ ଛେଳି ଗୁହାଳରେ ଟଙ୍କା ବାଟ ମାରଣା ଅଭିଯୋଗ ଆଣି ବ୍ଲକ ସମିତି ବୈଠକରେ ଛେଳି ନେଇ ଅଭିନବ ପ୍ରତିବାଦ କରିଥିଲେ । ସେହିପରି ବିଗତ ଦିନରେ କିଛି ସମିତି ସଭ୍ୟ ଅଧ୍ୟକ୍ଷଙ୍କ ମନମାନି ବିରୋଧରେ ବ୍ଲକ ସମ୍ମୁଖରେ ଧାରଣା ମଧ୍ୟ ଦେଇଥିଲେ । ତେବେ ଅଭିଯୋଗ ଆସିବା ପରେ କଣ ପଦକ୍ଷେପ ନିଆ ଯାଉଛି ତାହା ଦେଖିବାକୁ ବାକି ରହିଲା ।
ଏହା ମଧ୍ୟ ପଢ଼ନ୍ତୁ...ବେକାରୀ ସମସ୍ୟାକୁ ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ
ଇଟିଭି ଭାରତ, ବଲାଙ୍ଗୀର