Odisha Woman Runs in UK Marathon: ଓଡ଼ିଆ ଝିଅ ମଧୁସ୍ମିତାଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର:ବ୍ରିଟେନର ମଞ୍ଚେଷ୍ଟର ସହରରେ ହୋଇଥିବା ମାରାଥନରେ ସମ୍ବଲପୁରୀ ଶାଢ଼ୀକୁ ନେଇ ସବୁଆଡ଼େ ଚର୍ଚ୍ଚା । ମଞ୍ଚେଷ୍ଟରରେ ଆୟୋଜିତ ମାରାଥନରେ ଓଡ଼ିଆ ପ୍ରବାସୀ ମଧୁସ୍ମିତା ଜେନା ସମ୍ବଲପୁରୀ ଶାଢୀ ପିନ୍ଧି ମୈଦାନକୁ ଓହ୍ଲାଇଥିଲେ ଏବଂ ସଫଳତାର ସହ ମାରାଥନକୁ ପୂର୍ଣ୍ଣ କରିଥିଲେ । ବିଦେଶ ମାଟିରେ ଓଡ଼ିଶାର ଅପୂର୍ବ କାରିଗରୀର ପ୍ରଚାର ପ୍ରସାର କରିବାର ଏହି ପ୍ରୟାସକୁ ନେଇ ତାଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟିଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଓଡ଼ିଆ ଝିଅ ମଧୁସ୍ମିତାଙ୍କ ସହ କଥା ହୋଇଛନ୍ତି । ଭିଡ଼ିଓ କନଫରେନ୍ସିଂରେ ମଧୁସ୍ମିତାଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଥମେ ମଧୁସ୍ମିତାଙ୍କୁ ନମସ୍କାର କରି ତାଙ୍କର ସଫଳତା ଓ ନିଆରା ପ୍ରୟାସ ପାଇଁ ଅଭିବାଦନ ଜଣାଇବା ସହ ଧନ୍ୟବାଦ ଅର୍ପଣ କରିଛନ୍ତି । ମାରାଥନରେ ଓଡ଼ିଆ ଶାଢ଼ୀ ପିନ୍ଧି ସେ ଦୌଡିଥିବାରୁ ସମସ୍ତେ ଖୁସି ବୋଲି କହିଥିବା ବେଳେ ତାଙ୍କର ଏହି ପ୍ରୟାସକୁ ଭୁୟସୀ ପ୍ରଶଂସା କରି ସାବାସୀ ଦେଇଛନ୍ତି । ମଧୁସ୍ମିତା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବାର ସୁଯୋଗ ପାଇ ଖୁସି ହୋଇଥିବା କହିଛନ୍ତି । "ମୁଁ ଓଡ଼ିଆ ଭାବରେ ନିଜକୁ ଗର୍ବ କରୁଛି । ମଞ୍ଚେଷ୍ଟର ମାରାଥନ ଦୌଡ଼ିବାର ସୁଯୋଗ ମିଳିଥିବାରୁ ମୁଁ ଖୁସି ଅଛି । ବିକାଶ କ୍ଷେତ୍ରରେ ଓଡ଼ିଶାର ଅଗ୍ରଗତିକୁ ନେଇ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଉଛି ।" ପ୍ରକାଶ ଥାଉକି, ଓଡ଼ିଶାର ଐତିହ୍ୟକୁ ବିଶ୍ୱରେ ପ୍ରତିପାଦିତ କରିବା ଉଦ୍ଦେଶ୍ୟରେ ସେ ସମ୍ବଲପୁରୀ ଶାଢ଼ୀ ପିନ୍ଧି ୪ ଘଣ୍ଟା ୫୦ ମିନିଟରେ 42 କିମି ଦୌଡି ମଞ୍ଚେଷ୍ଟର ମାରାଥନ ୨୦୨୩କୁ ପୂର୍ଣ୍ଣ କରିଥିଲେ । ତାଙ୍କର ଏହି ସଫଳତା ସମଗ୍ର ଦେଶ ପାଇଁ ଗର୍ବ ନିଶ୍ଚୟ । ଇଟିଭି ଭାରତ, ଭୁବନେଶ୍ବର