ବିଜେପି ପକ୍ଷରୁ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ପାଳିତ
Published : Oct 1, 2023, 2:28 PM IST
କେନ୍ଦୁଝର: ଗାନ୍ଧୀ ଜୟନ୍ତୀ ପୂର୍ବରୁ ସାରା ଦେଶରେ ଆରମ୍ଭ ହୋଇଛି ସ୍ବଚ୍ଛତା ଅଭିଯାନ । ଗାନ୍ଧୀ ଜୟନ୍ତୀରେ ସ୍ବଚ୍ଛ ଭାରତର ସ୍ବଚ୍ଛାଞ୍ଜଳି ଦେବାକୁ ପ୍ରଧାନମନ୍ତ୍ରୀ ମୋଦି ଆହ୍ବାନ ଦେଇଛନ୍ତି । ଏନେଇ ଆଜି ସକାଳ 10ଟାରୁ ଏକ ଘଣ୍ଟା ଶ୍ରମଦାନ କରିବାକୁ ଆବେଦନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ‘ସ୍ବଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ପାଲଟିବ ବିଶ୍ବର ସର୍ବବୃହତ ସ୍ବେଚ୍ଛାକୃତ ସ୍ବଚ୍ଛତା ଅଭିଯାନ । ଏହି ଆହ୍ବାନ କ୍ରମେ କେନ୍ଦୁଝର ବିଜେପି ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ପରିସରରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଦର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ଏହି ସ୍ବଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲା ଚିକତ୍ସାଧିକାରୀ କିଶୋର ପୃଷ୍ଟିଙ୍କ ସହ ବହୁ ମେଡିକାଲ କର୍ମଚାରୀମାନେ ମଧ୍ୟ ସାମିଲ ହୋଇଥିଲେ । ବିଜେପି କର୍ମୀମାନେ ହାତରେ ଝାଡୁ କୋଦାଳ ଧରି ଚିକିତ୍ସାଳୟ ପରିସର ସଫେଇ କରିଥିଲେ । ବିଜେପି କର୍ମୀମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମୁଖ୍ୟ ଫାଟକ, ବାଇକ୍ରେ ଷ୍ଟାଣ୍ଡ୍, ସହ ଶିଶୁ ଓ ମହିଳା ବିଭାଗର ପରିସର ସଫେଇ କରିଥିଲେ । ଏହି ସଫେଇ କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତ୍ରୀ କିରଣବାଳା ନାଏକ, ସାବିତ୍ରୀ ବିଶ୍ଵାଳ, ଜଲାଲୁଦିନ ଆକବର ସହ ଶତାଧିକ କର୍ମୀ ସାମିଲ ହୋଇଥିଲେ। ଆଜି ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ, ରେଡକ୍ରସ୍, ମହିଳା ମହାବିଦ୍ୟାଳୟ, ରୋଟାରୀ କ୍ଲବ ଆଦି ସଂଗଠନଗୁଡିକ ପକ୍ଷରୁ ମଧ୍ୟ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହା ମଧ୍ୟ ପଢନ୍ତୁ- ବାଲୁକା ଚିତ୍ରକଳାରେ 'ସ୍ବଚ୍ଛତା ହିଁ ସେବା' ଅଭିଯାନରେ ସାମିଲ ହେବାକୁ ଆହ୍ଵାନ
ଇଟିଭି ଭାରତ, କେନ୍ଦୁଝର