ପୌର କାର୍ଯ୍ୟାଳୟ ସମ୍ମୁଖରେ ସଫେଇ କର୍ମଚାରୀଙ୍କ ଧାରଣା - ଖୋର୍ଦ୍ଧାରେ ସଫେଇ କର୍ମଚାରୀଙ୍କ ଧାରଣା
Published : Dec 19, 2023, 11:52 AM IST
ଖୋର୍ଦ୍ଧା: ରାଜରାସ୍ତାକୁ ଓହ୍ଲାଇଲେ ସଫେଇ କର୍ମଚାରୀ । ଖୋର୍ଦ୍ଧା ମ୍ୟୁନିସିପାଲଟି ଅଫିସ ସମ୍ମୁଖରେ ସଫେଇ ଗାଡି ରଖି ଧାରଣାରେ ବସିଛନ୍ତି ଶତାଧିକ ସଫେଇ କର୍ମଚାରୀ । ମନଇଚ୍ଛା ଦରମା କାଟ,ଇପିଏଫ ,ଇଏସଆଇର ବ୍ୟବସ୍ଥା ନ କରିବା ପ୍ରତିବାଦରେ ଆଜି ସକାଳୁ ଖୋର୍ଦ୍ଧା ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି । ପୌରାରାଞ୍ଚଳରେ ଠିକା ସଂସ୍ଥା ଅଧୀନରେ ସଫେଇ କର୍ମଚାରୀମାନେ କାର୍ଯ୍ୟ କରୁଥିବା ସମୟରେ ଠିକା ସଂସ୍ଥା ସଫେଇ କର୍ମଚାରୀଙ୍କ ମନଇଚ୍ଛା ଦରମା କାଟ କରୁଛି । ଏଥିସହ କର୍ମଚାରୀଙ୍କ ପାଇଁ କୌଣସି ଇପିଏଫ, ଇଏସଆଇର ବ୍ୟବସ୍ଥା କରୁନଥିବା ଅଭିଯୋଗ କରିଛନ୍ତି କର୍ମଚାରୀ । ସେହିପରି ସଫେଇ କର୍ମଚାରୀଙ୍କ ପାଇଁ ଆବଶ୍ୟକୀୟ ସଫେଇ ସରଞ୍ଜାମ ଯୋଗାଇ ଦେଉ ନଥିବା ଅଭିଯୋଗ କରି ସହରରେ ନିୟୋଜିତ ସମସ୍ତ ସଫେଇ କର୍ମଚାରୀ କାର୍ଯ୍ୟ ବନ୍ଦ କରି ଧାରଣା ଦେଇଛନ୍ତି । ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଯୋଗୁଁ ସହରରେ କୁଢ଼କୁଢ଼ ଅଳିଆ ପଡ଼ି ରହିଛି । ଅନ୍ୟପଟେ ସକାଳୁ ସଫେଇ କର୍ମଚାରୀଙ୍କ ପ୍ରତିବାଦ ଖବରପାଇ ଖୋର୍ଦ୍ଧା ଉପଖଣ୍ଡ ପୋଲିସ ଅଧିକାରୀ ଦିଲ୍ଲୀପ ଦାସ ଓ ଉପଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠୀ ଘଟଣାସ୍ଥଳରେ ପହଞ୍ଚି ସଫେଇ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ । ହେଲେ କୌଣସି ସମାଧାନର ବାଟ ବାହାରି ନଥିବା ଦେଖିବାକୁ ମିଳିଛି । ସେପଟେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ସହର ସଫେଇ କାର୍ଯ୍ୟ ବନ୍ଦ ରହିବ ବୋଲି କହିଛନ୍ତି ରାଜ୍ୟ ସଫେଇ କର୍ମଚାରୀ ସଂଘ ସଭାପତି ମୋହନ ନାୟକ ଓ ସଫେଇ କର୍ମଚାରୀ ।
ଏହା ମଧ୍ୟ ପଢନ୍ତୁ - ସଫେଇ କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ ଅଭିଯୋଗ, କର୍ପୋରେଟର ସ୍ୱାମୀଙ୍କୁ ଗିରଫ ଦାବି
ଇଟିଭି ଭାରତ, ଖୋର୍ଦ୍ଧା