Rathakhala Halchal: ତିନି ରଥର ପ୍ରଥମ ଓ ଦ୍ବିତୀୟ ଭୂଇଁ ନିର୍ମାଣ ଆରମ୍ଭ - ରଥଖଳା ହାଲଚାଲ
ପୁରୀ: ପାଖେଇ ଆସୁଛି ବିଶ୍ବନିୟନ୍ତାଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ମାଉସୀ ଘରକୁ ଯିବେ କାଳିଆ ସାଆନ୍ତେ । ଏଥିପାଇଁ ଶ୍ରୀକ୍ଷେତ୍ର ରଥଖଳାରେ ନିର୍ମାଣ ଚାଲିଛି ରଥ । ନୀତି ନିୟମ ଅନୁସାରେ ମହାରଣା ସେବାୟତଙ୍କ ସମେତ ସମସ୍ତ ସେବାୟତ ନିର୍ମାଣ କାର୍ଯ୍ୟକୁ ଯୋରଦାର କରିଛନ୍ତି । ଅକ୍ଷୟ ତୃତୀୟ ଠାରୁ ଆରମ୍ଭ ହୋଇଥିବା ରଥନିର୍ମାଣ... ଆଜି 31 ଦିନରେ ପହଞ୍ଚି ଥିବାବେଳେ ତିନି ରଥର ପ୍ରଥମ ଭୂଇଁ ଓ ଦ୍ଵିତୀୟ ଭୂଇଁ ପାଇଁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ।
ତିନିରଥର ପାଞ୍ଚ ଦଣ୍ଡାରେ ଆଗଆଣି ଏବଂ ପଛଆଣି ମୁହଁଟ ସଂଯୋଗ ହୋଇଛି। ଆଗଆଣି ପଛଆଣି ମୁହଁଟରେ ପାଞ୍ଚ ପାଞ୍ଚୋଟି ସାଲଗୁଜ ଉଠି ସେଥିରେ ଆଗ ପଛନିରାଡ଼ି ସଂଯୋଗ ହୋଇଛି । ଏଥିସହ ତିନିରଥର ପ୍ରଥମ ଭୂଇଁ ଏବଂ ଦ୍ବିତୀୟ ଭୁଇଁ ନିର୍ମାଣ ପାଇଁ ରଥ ଆମୀନ ଭୋଇ ସେବକଙ୍କ ମାଧ୍ୟମରେ ତିନି ରଥ ଚାଳିକୁ ଦୁଇଟି ଲେଖାଁଏ ୪ ଗୋଟି ୧୨ ଫୁଟିଆ ଚଉପଟ ଧଉରା କାଠ ଏବଂ ୪ଟି ଲେଖାଁଏ ୮ ଗୋଟି ଚଉପଟ ଭୂଇଁ ଖମ୍ବୀ ଯୋଗାଇଛନ୍ତି। ଏଥିରେ ତିନିରଥ ମହାରଣା ମାନେ ମାପ ଚିହ୍ନ ଦେଇଛନ୍ତି, ସେଥିରେ ବିନ୍ଧ କାର୍ଯ୍ୟ ଜାରି ରହିଛି ।
ଦେବୀ ରଥର ଚାରି ଗୋଟି ଚରିନାହାକା ନିର୍ମାଣ ଶେଷ ହୋଇଥିବା ବେଳେ ତାଳଧ୍ବଜ ରଥ ଏବଂ ନନ୍ଦିଘୋଷ ରଥର ତିନୋଟି ଲେଖାଁଏ ନିର୍ମାଣ ଶେଷ ହୋଇ ଶେଷ ଦୁଇଗୋଟି ଚାରି ନାହାକାର ନିର୍ମାଣ ଜାରି ରହିଛି। ତିନିରଥର ରୂପକାର ସେବକ ମାନେ ତିନିରଥର ସାଲ ଗୁଜ ଏବଂ ତିଖ ଗୁଜ ଗୁଡିକର ରୂପ ଖୋଦେଇ ଶେଷ କରି ତିନିରଥର ଶେଷ ଦୁଇଟି ଲେଖାଁଏ ତିଖ ଗୁଜରେ ନୃସିଂହ ରୂପ ଖାଦେଇ ଜାରି ରଖିଛନ୍ତି। ଦୋଳବେଦୀ ଠାରେ ବସନ୍ତ ମହାରଣାଙ୍କ ନେତୃତ୍ବରେ ପାହି ମହାରଣା ମାନେ ଦେବ ସ୍ନାନ ପୂର୍ଣ୍ଣିମା ରେ ମହାପ୍ରଭୁଙ୍କ ରୁନ୍ଧା କାର୍ଯ୍ୟ ପାଇଁ ୬ ଗୋଟି ଅଞ୍ଜନା ଖୁଣ୍ଟି ନିର୍ମାଣ ସାରି ୪ଗୋଟି ବେଶ ଘୋଡ଼ିଆ ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି ।
ଏହି କାର୍ଯ୍ୟରେ ତାଙ୍କୁ ତୁମ୍ବ ବିନ୍ଧ କାରିଗର ସହାୟତା କରୁଛନ୍ତି। ତିନିରଥର କରତି ସେବକ ମାନେ ଦେବୀରଥର ପୋଲ ଗୟଳର ଉଭୟ ପଟ ଚିତା କାର୍ଯ୍ୟ ଶେଷ କରି ଚିରଟ କାର୍ଯ୍ୟ ଆରମ୍ଭ କରିଛନ୍ତି। ଦୋଳବେଦୀ କମାର ଶାଳରେ ତିନି ରଥର ଓଝା ସେବକ ମାନେ ତିନି ରଥର ୧୨ ଗୋଟି ଗରଗରା କଣ୍ଟା ନିର୍ମାଣ ଶେଷ କରି ଯୋଖା ଏବଂ ଗୟଳ କଣ୍ଟା ନିର୍ମାଣ ଜାରି ରଖିଛନ୍ତି।
ଇଟିଭି ଭାରତ, ପୁରୀ