Chandrayaan-3 landing: ସାମ୍ନାକୁ ଆସିଲା Plan-B, 27ତାରିଖରେ ହୋଇପାରେ ଲ୍ୟାଣ୍ଡିଂ !
ଅହମ୍ମଦାବାଦ:ଭାରତର ଚନ୍ଦ୍ର ଅଭିଯାନ ଏବେ ଅନ୍ତିମ ତଥା ସବୁଠୁ ଜଟିଳ ପର୍ଯ୍ୟାୟରେ ପହଞ୍ଚି ସାରିଛି । 23 ତାରିଖ ସଂଧ୍ୟାରେ ଲ୍ୟାଣ୍ଡିଂ ପ୍ରକ୍ରିୟା ଆରମ୍ଭ ହେବ । ଏବେ ସୁଦ୍ଧା ସମସ୍ତ ପ୍ରାକ୍ ପ୍ରକ୍ରିୟା ସ୍ବାଭାବିକ ରହିଛି । ହେଲେ 23 ତାରିଖ ଲ୍ୟାଣ୍ଡିଂ ପ୍ରକ୍ରିୟା ଆରମ୍ଭ ହେବାର 2 ଘଣ୍ଟା ପୂର୍ବରୁ ନିଆଯିବ ଚୂଡାନ୍ତ ନିଷ୍ପତ୍ତି । ଉପଗ୍ରହ ଯାନ୍ତ୍ରିକ ସ୍ଥିତି କିମ୍ବା ଚନ୍ଦ୍ରପୃଷ୍ଠର ଭୌଗଳିକ ସ୍ଥିତିରେ ସାମାନ୍ୟ ବ୍ୟତିକ୍ରମ ନଜର ଆସିଲେ ଏହାର ଅବତରଣକୁ ସ୍ଥଗିତ ମଧ୍ୟ ରଖାଯାଇପାରେ । 27 ତାରିଖରେ ଏହାକୁ ପୁନଃ ଅବତରଣ କରାଯିବାକୁ ପ୍ରୟାସ ଆରମ୍ଭ କରାଯିବା ନେଇ ବିକଳ୍ପ ପ୍ଲାନ ଥିବା କହିଛନ୍ତି ଅହମ୍ମଦାବାଦ ସ୍ଥିତ ଇସ୍ରୋର ସ୍ପେସ୍ ଆପ୍ଲିକେସନ୍ ସେଣ୍ଟର ନିର୍ଦ୍ଦେଶକ ନୀଲେଶ ଏମ୍ ଦେଶାଇ ।
ସମ୍ପୂର୍ଣ୍ଣ ପ୍ରକ୍ରିୟା ସମ୍ପର୍କରେ ସୂଚନା ଦେଇ ମହାକାଶ ବିଜ୍ଞାନୀ ଦେଶାଇ କହିଛନ୍ତି, ଉପଗ୍ରହ ସର୍ବନିମ୍ନ 30 କି.ମି ଉଚ୍ଚତାକୁ ହ୍ରାସ ପାଇବା ପରେ ଅବତରଣ ପ୍ରକ୍ରିୟା ଆରମ୍ଭ ହେବ । ଲ୍ୟାଣ୍ଡିିଂ ସମୟରେ ଉପଗ୍ରହର ବେଗ ସେକଣ୍ଡ ପ୍ରତି ପ୍ରାୟ 1.68 କିମି ରହିବ । କ୍ରମଶଃ ଏହାକୁ ଥ୍ରଷ୍ଟ ଇଞ୍ଜିନ୍ ଚାଲୁ କରି ଗତି ହ୍ରାସ କରାଯାଇ ସଫ୍ଟ୍ଲ୍ୟାଣ୍ଡିଂ ପ୍ରକ୍ରିୟାକୁ ସଫଳ କରାଯିବ । ଲ୍ୟାଣ୍ଡରରେ ଏକାଧିକ ସେନ୍ସର୍ ଇନଷ୍ଟଲ୍ ହୋଇଛି । ଶେଷ ପର୍ଯ୍ୟାୟରେ ଆବଶ୍ୟକତା ଦୃଷ୍ଟିରୁ ଏହା ଲ୍ୟାଣ୍ଡିଂ ସ୍ଥାନ ପରିବର୍ତ୍ତନ ମଧ୍ୟ କରିପାରେ । ଏବେ ସବୁ କିଛି ସ୍ବାଭାବିକ ରହିଛି । ତେଣୁ ନିର୍ଦ୍ଧାରିତ ସମୟରେ ସଫଳ ଲ୍ୟାଣ୍ଡିଂ ହେବା ନେଇ ଆଶା ପ୍ରକଟ କରିଛନ୍ତି ।
ବ୍ୟରୋ ରିପୋର୍ଟ, ଇଟିଭି ଭାରତ