ଓଡିଶା

odisha

ଝଙ୍କଡ଼ ପୀଠରେ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା

ETV Bharat / videos

ଝଙ୍କଡ଼ ପୀଠରେ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା; ଚନ୍ଦନ ଲାଗି ହୋଇ ଚନ୍ଦନ ପୁଷ୍କରିଣୀକୁ ବିଜେ କଲେ ମା' ଶାରଳା - ମା ଶାରଳାଙ୍କ ଚନ୍ଦନ ଯାତ୍ରା

By

Published : Apr 23, 2023, 9:21 PM IST

ଜଗତସିଂହପୁର: ଜିଲ୍ଲାର ଈଷ୍ଟଦେବୀ ମା' ଶାରଳାଙ୍କ ପୀଠରେ ଆଜି ପବିତ୍ର ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି । ଆଜିଠାରୁ ଆରମ୍ଭ ହୋଇଥିବା ଏହି ଚନ୍ଦନ ଯାତ୍ରା ଦୀର୍ଘ ୨୧ ଦିନ ଧରି ଚାଲିବ । ପ୍ରବଳ ଗ୍ରୀଷ୍ମ ତାପରୁ ରକ୍ଷା ପାଇବା ପାଇଁ ଏହି ଯାତ୍ରାରେ ମା'ଙ୍କୁ ସର୍ବାଙ୍ଗ ଚନ୍ଦନ ଲାଗି କରାଯିବା ପରେ ମଣି ବିମାନରେ ଚାପ ଖେଳିବା ପାଇଁ ଚନ୍ଦନ ପୁଷ୍କରିଣୀକୁ ବିଜେ କରିଥାନ୍ତି । ଏହି ପରମ୍ପରା କେଉଁ ଅନାଦି କାଳରୁ ପ୍ରଚଳିତ ହୋଇଆସିଛି ।  

ଆଜି ପବିତ୍ର ଅକ୍ଷୟ ତୃତୀୟା ଠାରୁ ମା' ଶାରଳାଙ୍କ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ଆଜି ଭୋରରୁ ମା'ଙ୍କ ପହୁଡ଼ ଖୋଲା ହେବାପରେ ମାର୍ଯ୍ୟନା ଓ ସୁନାବେଶ ଅନୁଷ୍ଠିତ ହୋଇଥିଲା । ପରେ ଗୋପାଳ ବଲ୍ଲଭ ଓ ଖେଚେଡ଼ି ଭୋଗନୀତି ସରିବା ପରେ ଦିନ ୩ଟା ସୁଦ୍ଧା ମାର୍ଯ୍ୟନା କରାଯାଇ ମା'ଙ୍କୁ ସର୍ବାଙ୍ଗ ଚନ୍ଦନ ଲାଗି କରାଯାଇଥିଲା । ରୂପା ନିଙ୍ଗଣରେ କିଲୋ କିଲୋ ଚନ୍ଦନ କାଠ ଘୋରାଯାଇ ୧୫ ଜଣ ସେବକଙ୍କ ଦ୍ବାରା ଏହି ନୀତି ସମ୍ପାଦନ ହୋଇଥିଲା । ପରେ ମଧ୍ୟାହ୍ନ ଧୂପ ଶେଷ ପରେ ମା'ଙ୍କ ଚଳନ୍ତି ପ୍ରତିମାଙ୍କୁ ମନ୍ଦିର ଚତୁଃପାର୍ଶ୍ବ ପରିକ୍ରମା କରାଯାଇଥିଲା । ଏହାପରେ ସିଂହଦ୍ବାର ନିକଟରୁ ବିମାନରେ ମା'ଙ୍କୁ ବିଜେ କରାଯାଇ ଚନ୍ଦନ ପୁଷ୍କରିଣୀ କୂଳକୁ ନିଆ ଯାଇଥିଲା । ମା'ଙ୍କ ପରିକ୍ରମା ସମୟରେ ଆଲଟଚାମର ସେବା ସହିତ ହରିବୋଲ ହୁଳହୁଳି ଧ୍ବନିରେ ସମଗ୍ର ପରିବେଶ ଉତ୍ସବମୁଖର ହୋଇଉଠିଥିଲା । ଚନ୍ଦନ ପୁଷ୍କରିଣୀ ମଧ୍ୟରେ ଥିବା ନୌକାରେ ମା'ଙ୍କୁ ବିଜେ କରାଯାଇ ପୁଷ୍କରିଣୀ ଚତୁଃପାର୍ଶ୍ବ ପରିକ୍ରମା କରାଯିବା ପରେ ପୁଷ୍କରିଣୀ ମଝିରେ ଥିବା ଦ୍ବୀପଦଣ୍ଡିରେ ମା' ବିଶ୍ରାମ ନେଇଥିଲେ । ଏହି ଦୃଶ୍ୟ ଦେଖିବାକୁ ହଜାରହଜାର ଭକ୍ତଙ୍କ ସମାଗମ ହୋଇଥିଲା । ଆଜି ଯାତ୍ରାର ପ୍ରଥମ ଦିନରେ ଗୋଟିଏ ଥର ପରିକ୍ରମା କରିବାର ବିଧି ରହିଥିବା ବେଳେ ଦ୍ବିତୀୟ ଦିନରେ ୨ ଥର, ଏହିପରେ ୨୧ ଦିନରେ ୨୧ ଥର ଚନ୍ଦନ ପୁଷ୍କରିଣୀରେ ଚାପ ଖେଳିବାର ପରମ୍ପରା ରହିଛି ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details