ଆରମ୍ଭ ହେଲା ପ୍ରସିଦ୍ଧ ଚନ୍ଦନ ଯାତ୍ରା, ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତ ଓ ଜଗନ୍ନାଥ ପ୍ରେମୀ ଆନନ୍ଦିତ - ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ
ପୁରୀ: ଆଜି ପବିତ୍ର ଅକ୍ଷୟ ତୃତୀୟା । ପରମ୍ପରା ଅନୁଯାୟୀ ଆଜିଠୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଚନ୍ଦନ ଯାତ୍ରା । ଏହି ଅବସରରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ହେବା ସହ ୨୧ ଦିନ ବ୍ୟାପୀ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ । ଭକ୍ତଙ୍କ ଗହଣରେ ଜଳକ୍ରୀଡା କରିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା । ଭକ୍ତଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା, ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।
ଆଜିଠୁ ଚନ୍ଦନ ଯାତ୍ରା ଆରମ୍ଭ ହୋଇଥିବା ବେଳେ ଭକ୍ତଙ୍କ ଗହଣରେ ଜଳକ୍ରୀଡା କରିଛନ୍ତି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ, ଭୂଦେବୀ, ଶ୍ରୀଦେବୀ ଓ ପଞ୍ଚୁପାଣ୍ଡବ। ପବିତ୍ର ଅକ୍ଷୟ ତୃତୀୟା । ଏଥିପାଇଁ ସଜେଇ ହୋଇଛି ନରେନ୍ଦ୍ର ପୁଷ୍କରିଣୀ । ଗତ ଚୈତ୍ର ପୂର୍ଣ୍ଣିମା ଦିନ ନରେନ୍ଦ୍ର ପୁଷ୍କରିଣୀରେ ବର୍ଷତମାମ୍ ବୁଡି କରି ରହିଥିବା ନନ୍ଦା, ଭଦ୍ରା ଓ ବଜୟନ୍ତରୀ ଡଙ୍ଗାକୁ କଢାଯିବା ପରେ ବିଶ୍ବକର୍ମା ମହାରଣା, ଭୋଇ ସେବାୟତମାନେ ଡଙ୍ଗା ମରାମତି କରି ନନ୍ଦା ଓ ଭଦ୍ରା ଚାପ ନିର୍ମାଣ କାର୍ଯ୍ୟ ଶେଷ କରିଥିଲେ। ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୂଦେବୀ, ଶ୍ରୀଦେବୀ ଓ ଶ୍ରୀକ୍ଷେତ୍ରର ପଞ୍ଚୁପାଣ୍ଡବ ନରେନ୍ଦ୍ର ପୁଷ୍କରିଣୀରେ ନୌକା ବିହାର ଦୃଶ୍ୟ ଦେଖି ଭକ୍ତ ଭାବ ବିହ୍ଵଳିତ ହୋଇ ପଡିଛନ୍ତି । ହରିବୋଲ, ଜୟ ଜଗନ୍ନାଥ ଧ୍ବନିରେ ନରେନ୍ଦ୍ର ପୁଷ୍କରିଣୀ ପରିବେଶ ପ୍ରକମ୍ପିତ ହୋଇ ପଡ଼ିଥିଲା ।
ଇଟିଭି ଭାରତ, ପୁରୀ