ଓଡିଶା

odisha

ETV Bharat / videos

ସହଯୋଗ ପ୍ରୋଜେକ୍ଟ ଜରିଆରେ ଲାଗିଲା ସିସିଟିଭି, ଆହୁରି 30 ଟି ସ୍ଥାନରେ ଲାଗିବ - ବାଲେଶ୍ୱର ଏସପି ସାଗରିକା ନାଥ

🎬 Watch Now: Feature Video

CCTV cameras

By

Published : Apr 25, 2023, 3:56 PM IST

ବାଲେଶ୍ବର:ସହରର ବିଭିନ୍ନ ସ୍ଥାନରେ ଲୁଟ୍ ଓ ଛିନତାଇ ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ଅଧିକାଂଶ ସମୟରେ ପୋଲିସ ସେମାନଙ୍କୁ ଧରିବା ପାଇଁ ନାକେଦମ୍ ହେଉଛି। ଛିନତାଇ ଓ ଲୁଟ କରିବା ପରେ ସହରର ବିଭିନ୍ନ ଗଳିକନ୍ଦି ଦେଇ ଦୁର୍ବୃତ୍ତ ମାନେ ଫେରାର ହୋଇ ଯାଉଛନ୍ତି। ଏହାକୁ ରୋକିବା ପାଇଁ ପୋଲିସ ପକ୍ଷରୁ ଜୋରଦାର ଉଦ୍ୟମ କରାଯାଉଥିଲେ ମଧ୍ୟ ଅନେକାଂଶରେ ବିଫଳ ହେବାକୁ ପଡୁଛି। ସେହିପରି ଟ୍ରାଫିକ ପରିଚାଳନା ବ୍ୟବସ୍ଥାକୁ ମଧ୍ୟ ଅଧିକ ତ୍ୱରାନ୍ୱତି କରାଯାଇଛି। ଏବେ ସେମାନଙ୍କ ଗତିବିଧି ଉପରେ ପୋଲିସ ନଜର ରଖିବା ସହ କାର୍ଯ୍ୟାନୁଷ୍ଠାନ ନେବାରେ ସୁବିଧା ହେବ। ଏନେଇ ଜନସାଧାରଣ ଏବଂ ଜିଲ୍ଲା ପୋଲିସର ସମନ୍ୱୟରେ ଆରମ୍ଭ ହୋଇଛି ‘ପ୍ରୋଜେକ୍ଟ ସହଯୋଗ’। ଏହା ମାଧ୍ୟମରେ ସହରର ଟ୍ରାଫିକ ନିୟନ୍ତ୍ରଣରେ ସୁଧାର ହୋଇ ପାରିବ। ଖାଲି ସେତିକି ନୁହେଁ ଅପରାଧ ବି ନିୟନ୍ତ୍ରଣ ହୋଇ ପାରିବ। ଏଥି ପାଇଁ ସହରର ଗୁରତ୍ୱପୁର୍ଣ୍ଣ ଛକ ଜାଗା ମାନଙ୍କରେ ସିସିଟିଭି କ୍ୟାମେରା ଲଗାଯାଉଛି। ଯାହାକୁ ବାଲେଶ୍ୱର ଏସପି ସାଗରିକା ନାଥ ଉଦଘାଟନ କରିଛନ୍ତି।

ସହରର 30 ଟି ସ୍ଥାନରେ ଏମିତି ସିସିଟିଭି ଲଗାଯିବା ନେଇ ପୋଲିସ ସ୍ଥାନ ଚିହ୍ନଟ କରିଛି। କ୍ରାଉଡ଼ ଫଣ୍ଡିଂ ପ୍ରୋସେସିଂ ଦ୍ୱାରା ଏହି ବ୍ୟବସ୍ଥା କରାଯାଉଛି। ଓଡି ନେଟ୍ ଫାଇବର କେବୁଲ ନେଟ ଓାର୍କ ମାଧ୍ୟମରେ ଟ୍ରାଫିକ ଥାନାରେ ଥିବା କମାଣ୍ଡ ଏବଂ କଂଟ୍ରୋଲ ରୁମ ପରିଚାଳିତ ହେବ। ପ୍ରଥମେ ସିନେମା ଛକରେ ୩ଟି ୮ ମେଗାପିକସେଲ କ୍ୟାମେରା ଲଗାଯାଉଥିବା ବେଳେ ଗୋଳାପୋଖରୀ ଛକ,ପୁରଣା ବାଲେଶ୍ୱର , ଫୁଲାଡ଼ି ଛକ ଭଳି ୩୦ଟି ସ୍ଥାନରେ ଏହା ଚାଲୁ କରାଯିବ ବୋଲି ସୂଚନା ମିଳିଛି।  

ସେହିପରି ଅଗାମୀ ଦିନରେ ଷ୍ଟେସନ, ରେମୁଣା ଗୋଲେଇ ଭଳି ବିଭିନ୍ନ ଅଂଚଳରେ ସିସି ଟିଭି କ୍ୟାମେରା ଲଗାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି। ସିସିଟିଭି ଲଗାଇବାରେ ବିଶିଷ୍ଟ ବ୍ୟବସାୟୀ ତଥା ସମାଜସେବୀ ଲକ୍ଷ୍ମୀ ନାରାୟଣ ମହାନ୍ତିଙ୍କ ଅବଦାନ ରହିଥିବାରୁ ତାଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି। ଏହି ଉଦ୍ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଡିଏସପି ଆଲୋକ ରଂଜନ ରାୟ, ଡିଏସପି ଡିଆଇବି ବ୍ରଜଶ୍ରୀ ବଳ, ଡିଏସପି ମାନସ ଦେଓ, ଡିଏସପି ଗାୟତ୍ରୀ ବାଳା ପ୍ରଧାନ, ଟାଉନ୍ ଥାନା ଆଇଆଇସି ପର୍ଶୁରାମ ସାହୁ, ସହଦେବଖୁଂଟା ଥାନା ଆଇଆଇସି ଶୁଭ୍ରାଂଶୁ ଶେଖର ନାୟକ, ରେମୁଣା ଥାନା ଆଇଆଇସି ପ୍ରେମ ପ୍ରଜ୍ଞା ମହାନ୍ତି, ଟ୍ରାଫିକ ଥାନା ଆଇଆଇସି ଗଣେଶ୍ୱର ପ୍ରଧାନ, ଦିବ୍ୟଜ୍ୟୋତି ମହାନ୍ତି, ଓଡି ନେଟ୍ ର ନିର୍ଦ୍ଦେଶକ ଦେବ ଜ୍ୟୋତି ଦାସ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଇଟିଭି ଭାରତ, ବାଲେଶ୍ବର 

ABOUT THE AUTHOR

...view details