ସପ୍ତାହେ ମଧ୍ୟରେ ଦାବି ପୂରଣ ନହେଲେ ଅମଲା ସଂଘର ଆନ୍ଦୋଳନ ଚେତାବନୀ - ପଟ୍ଟାମୁଣ୍ଡାଇରେ ଜୋନ ସ୍ତରୀୟ ମିଳିତ ଅମଲା ମଞ୍ଚ ବୈଠକ
କେନ୍ଦ୍ରାପଡା: ନିଜର ହକ୍ ପାଇବା ପାଇଁ ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହେଉଛି ମିଳିତ ଅମଲା ମହାମଞ୍ଚ । ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତି ସଭାଗୃହରେ ଜିଲ୍ଳା ମିଳିତ ଅମଲା ମହାମଞ୍ଚର ଆହ୍ବାନକ୍ରମେ ପଟ୍ଟାମୁଣ୍ଡାଇ ଜୋନ ସ୍ତରୀୟ ମିଳିତ ଅମଲା ମଞ୍ଚର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି । ମିଳିତ ଅମଲା ମଞ୍ଚର ସଭାପତି ଅଧୀର କୁମାର ସାହୁ ଏହି ବୈଠକରେ ଅଧ୍ୟକ୍ଷତା କରିଥିବା ବେଳେ ଶତାଧିକ ସଦସ୍ୟ ଉପସ୍ଥିତ ରହି ଅମଲା ମହାମଞ୍ଚର ଦାବି ପ୍ରତି ସରକାରଙ୍କ ନିଷ୍କ୍ରିୟତା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଅମଲା ମଞ୍ଚ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଦୀର୍ଘ ଦିନରୁ ହୋଇଆସୁଥିବା ଦାବି ପ୍ରତି ଉଦାସୀନତାକୁ ବିରୋଧ କରାଯାଇଥିଲା ।
2017 ମସିହାରେ ରାଜ୍ୟ ସରକାର ଗ୍ରାଜୁଏଟ କମ୍ପ୍ୟୁଟର ସ୍କିଲ ଜୁନିଅର ଆସିଷ୍ଟାଣ୍ଟମାନଙ୍କ ଗ୍ରେଡ଼ ପେ 4200 ଟଙ୍କା, ଲେବଲ 9 କରିଥିଲେ ମଧ୍ୟ ସେହି ହାରରେ ଦରମା ଦେଉନଥିବା ନେଇ ଅମଲା ମଞ୍ଚ କ୍ଷୋଭ ପ୍ରକାଶ କରିଛି । ଜୁନିଅର ଆସିଷ୍ଟାଣ୍ଟମାନଙ୍କ ଗ୍ରେଡ଼ ପେ 4200 ଟଙ୍କା, ଲେବଲ 9 ହାରରେ ଦରମା ଦେବାକୁ ଦାବି ଜୋର ଧରିଛି । ଆସନ୍ତା ମେ' 21 ତାରିଖ ମଧ୍ୟରେ ଯଦି ସରକାର ଜୁନିଅର ଆସିଷ୍ଟାଣ୍ଟମାନଙ୍କ ନ୍ୟାର୍ଯ୍ୟ ଦାବିକୁ ପୂରଣ ନକରନ୍ତି ତେବେ ମେ' 22 ତାରିଖ ଠାରୁ ସେମାନେ କଳାବ୍ୟାଚ ପରିଧାନ କରିବେ ଏବଂ ଜୁନ ୧ରୁ ଗଣଛୁଟି ନେବେ ବୋଲି ଅମଲା ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି । ଜିଲ୍ଲା ଓ ବ୍ଲକ ସ୍ତରୀୟ ସଦସ୍ୟ ଶୈଳେନ୍ଦ୍ର ପ୍ରଧାନ, ଜିଲ୍ଲା ଅମଲା ସଂଘ ସଭାପତି ସୁକାନ୍ତ କୁମାର ଜେନା, ଜନ ଉଇଲିୟମ ବରାଳ, ମାନସ ରଞ୍ଜନ ନନ୍ଦ ଓ ଅଞ୍ଜନା ପ୍ରଧାନ ପ୍ରମୁଖ ବୈଠକ ପରିଚାଳନା କରିଥିଲେ ।
ଇଟିଭି ଭାରତ, କେନ୍ଦ୍ରାପଡା