ପଞ୍ଚମ ଦିନରେ ସ୍ଥାପନ ହେଲା ଧର୍ମଝଣ୍ଡା, ରଥମାନଙ୍କୁ ନିମନ୍ତ୍ରଣ ଦେବେ ମା’
ବ୍ରହ୍ମପୁର: ଚାଲିଛି ପ୍ରତି ଦୁଇ ବର୍ଷକୁ ଥରେ ଆୟୋଜିତ ହେଉଥିବା ପ୍ରସିଦ୍ଧ ମା’ ବୁଢୀ ଠାକୁରାଣୀଙ୍କ ଯାତ୍ରା । ବ୍ରହ୍ମପୁର ସହରର ବର୍ଷ ବର୍ଷର ପରମ୍ପରା ଓ ସଂସ୍କୃତିକୁ ନେଇ ମୁଖ୍ୟତଃ ଆୟୋଜିତ ହୋଇ ଆସୁଛି ଏହି ଯାତ୍ରା । ମାସେ କାଳ ଚାଲିବ ଏହି ପବିତ୍ର ଯାତ୍ରା । ପ୍ରସିଦ୍ଧ ମାଆ ବୁଢୀ ଠାକୁରାଣୀ ଯାତ୍ରାର ପଞ୍ଚମ ଦିନରେ ମାଆଙ୍କ ଅସ୍ଥାୟୀ ମନ୍ଦିର ସମୁଖରେ ପାରମ୍ପାରିକ ରୀତିନୀତିରେ ସ୍ଥାପନ ହୋଇଛି ମାଆଙ୍କ ଧର୍ମଝଣ୍ଡା । ମା’ଙ୍କ ଯାତ୍ରାର ଚତୁର୍ଥ ଦିବସରେ ଘଟ ପରିକ୍ରମା ସମୟରେ ମାଆ ସହରର କମଳାବାରୀ ସାହିରେ ଏହି ଧର୍ମଝଣ୍ଡାକୁ ନିମନ୍ତ୍ରଣ କରି ଫେରିଥିଲେ । ଯାହାକି ପଞ୍ଚମ ଦିନରେ ଯାତ୍ରାର ପରମ୍ପରା ଅନୁଯାୟୀ କମଳବାରି ସାହି ବାସିନ୍ଦା ନିଜ ସାହିରୁ ଏକ ବିରାଟ ଶୋଭାଯାତ୍ରାରେ ଆସିଥିଲା । ତେବେ ୫୦ ରୁ ୬୦ ପୁଟ ଲମ୍ୱର ଏହି ଧର୍ମଝଣ୍ଡା ମା’ଙ୍କ ନିକଟରେ ପୂଜାର୍ଚ୍ଚନା କରିବା ପରେ ସ୍ଥାପନ କରାଯାଇଥିଲା । କୁହାଯାଏ ମା’ଙ୍କ ଯାତ୍ରାରେ ଧର୍ମଝଣ୍ଡା ସ୍ଥାପନ ପରେ ହିଁ ପଞ୍ଚମ ଦିନ ଠାରୁ ମା’ ବିଭିନ୍ନ ସାହିକୁ ପରିକ୍ରମା କରି ଅନେକ ରଥ ଓ କଳାକୁଞ୍ଜକୁ ନିମନ୍ତ୍ରଣ କରିବାର କାର୍ଯ୍ୟକ୍ରମ ରହିଥାଏ ।
ଇଟିଭି ଭାରତ, ବ୍ରହ୍ମପୁର