ଆଜି ବୁଦ୍ଧ ବେଶରେ ଦର୍ଶନ ଦେବେ ମହାପ୍ରଭୁ - ବାହୁଡା ଯାତ୍ରା
ସୁବର୍ଣ୍ଣପୁର:ଆଷାଢ଼ ଶୁକ୍ଳ ଅଷ୍ଟମୀ ତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ବଳଭଦ୍ର ପଦ୍ମମୁଖ ବେଶ ଧାରଣ କରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଛନ୍ତି । ଆଜି ଶୁକ୍ଳ ନବମୀ ତିଥିରେ ମହାପ୍ରଭୁ ଓ ବଡଠାକୁରଙ୍କ ବୁଦ୍ଧ ବେଶ ଅନୁଷ୍ଠିତ ହେବ । ରାତି ପାହିଲେ ବାହୁଡା ଯାତ୍ରା । ଚଳିତ ବର୍ଷର ଦଶମୀ ତିଥିରେ ବାହୁଡା ଯାତ୍ରା ପାଳନ କରିବା ପାଇଁ ଦେବୋତ୍ତର ବିଭାଗ, ଯାତ୍ରା କମିଟି ଓ ମନ୍ଦିର କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ତେବେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତି ପହଞ୍ଚିବା ପରେ ନୃସିଂହ ଦେବଙ୍କ ସହିତ ଅବସ୍ଥାନ କରି ବିଭିନ୍ନ ବେଶ ଧାରଣ କରୁଛନ୍ତି ।
ଗତକାଲି ସନ୍ଧ୍ୟାରେ ଝିପି ଝିପି ବର୍ଷା ସତ୍ତ୍ବେ ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ପଦ୍ମବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ବେଶ୍ ସମାଗମ ଦେଖିବାକୁ ମିଳିଥିଲା । ଆଳତୀ ଦର୍ଶନ ସହିତ ନୃସିଂହ ମହାପ୍ରଭୁଙ୍କ ସହ ତିନି ବିଗ୍ରହଙ୍କ କୃପା ଲାଭ କରିବାକୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ବେଶ ଭିଡ଼ ଦେଖିବାକୁ ମିଳିଥିଲା । ଦେବୋତ୍ତର ବିଭାଗ, ସ୍ଥାନୀୟ ସ୍ବେଚ୍ଛାସେବୀ ଓ ଶ୍ରୀଗୁଣ୍ଡିଚା ରଥଯାତ୍ରା କମିଟି ପକ୍ଷରୁ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ସାଂସ୍କୃତିକ ମଞ୍ଚରେ ଭଜନ ସନ୍ଧ୍ୟାର ଆୟୋଜନ କରାଯାଉଛି ।
ଇଟିଭି ଭାରତ, ସୁବର୍ଣ୍ଣପୁର