ସାପ ଧରାଳିଙ୍କୁ ଭେଟିବାକୁ ଓଡିଶାରେ ପହଞ୍ଚିଲେ ବ୍ରିଟେନ ଦମ୍ପତି - ଓଡିଶାରେ ପହଞ୍ଚିଲେ ବ୍ରିଟେନ ଦମ୍ପତି
ଭଦ୍ରକ:ବ୍ରିଟେନ ଦମ୍ପତିଙ୍କୁ ଆକୃଷ୍ଟ କଲା ଓଡିଆ ସାପ ଧରାଳିଙ୍କ କୌଶଳ। ସାପ ଧରାଳିଙ୍କୁ ସାକ୍ଷାତ କରିବା ପାଇଁ ସାତ ଦରିଆ ତେର ନଈ ପାର ହୋଇ ଓଡିଶାରେ ପହଞ୍ଚିଲେ ବ୍ରିଟେନ ଦମ୍ପତି । ଭଦ୍ରକ ଆସି ସାପ ଧରାଳି ମିର୍ଜା ଆରିଫଙ୍କୁ ଭେଟିଛନ୍ତି ବିଦେଶୀ ଦମ୍ପତି ପୁଲ୍ କ୍ୟାମିଲ୍ ଓ ସାରା । ଉଭୟ ମିର୍ଜାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ସାପ ଧରିବାର କଳା କୌଶଳ ଦେଖି ତାଙ୍କୁ ଆକୃଷ୍ଟ କରିଥିଲା । ଏହାପରେ ସେ ଓଡିଶା ଆସି ମିର୍ଜାଙ୍କୁ ଭେଟିବାକୁ ଚିନ୍ତା କରିଥିଲେ । ଶେଷରେ ଭଦ୍ରକରେ ପହଞ୍ଚି ମିର୍ଜାଙ୍କୁ ଭେଟିଛନ୍ତି ବ୍ରିଟେନ ଦମ୍ପତି ।
ବର୍ତ୍ତମାନ ସାତ ଦିନିଆ ଟୁରିଷ୍ଟ ଭିସାରେ ସେମାନେ ଗତକାଲି ଭଦ୍ରକରେ ପହଞ୍ଚି ଏକ ହୋଟେଲରେ ରାତ୍ରି ଯାପନ କରିବା ପରେ ମିର୍ଜାଙ୍କୁ ସାକ୍ଷାତ କରିଥିଲେ । ସାକ୍ଷାତ ସମୟରେ ଉଭୟ ଦମ୍ପତି ମିର୍ଜା ଆରିଫଙ୍କୁ ଦେଖି ଭାବବିହ୍ୱଳ ହେବା ସହ ସେମାନେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏଥିସହ ବ୍ରିଟେନ ଦମ୍ପତି ମିର୍ଜାଙ୍କୁ ସେମାନଙ୍କ ପରିବାରର ଜଣେ ସଦସ୍ୟ ଭାବେ ଗ୍ରହଣ କରିଥିଲେ । ତେବେ ମିର୍ଜାଙ୍କ ସହ 4ରୁ 5 ଦିନ ରହି ସାପ ଧରିବାର କୌଶଳ ଦେଖିବେ ଏହି ଦମ୍ପତି । ଏଥିପାଇଁ ବିଭିନ୍ନ ସ୍ଥାନକୁ ଗସ୍ତ କରୁଛନ୍ତି । ଏନେଇ ଉଭୟ ଦମ୍ପତି କହିଛନ୍ତି ଯେ, କୌତୁହଳ ପୂର୍ଣ୍ଣ ସାପ ଧରିବାର ଦୃଶ୍ୟ ଦେଖିବା ପାଇଁ ମିର୍ଜାଙ୍କୁ ଦେଖା କରିବା ପାଇଁ ଆମେ ଏତେ ବାଟ ଆସିଥିଲୁ । ତାଙ୍କ ସହ ଦେଖା ହୋଇ ମିଶିବା ପରେ ଆମ ସ୍ବପ୍ନ ପୂରଣ ହୋଇଛି ବୋଲି ଦମ୍ପତି କହିଛନ୍ତି ।
ଭଦ୍ରକ ଜିଲ୍ଲା ପୁରୁଣା ବଜାର ଅଞ୍ଚଳରେ ମିର୍ଜାଙ୍କ ଘର । ସ୍ତ୍ରୀ, ଦୁଇ ପୁଅ ଏବଂ ଗୋଟିଏ ଝିଅଙ୍କୁ ନେଇ ତାଙ୍କ ପରିବାର । ଦୀର୍ଘ ଦିନ ଧରି ବିଭିନ୍ନ ଅଞ୍ଚଳରୁ ଖବର ପାଇବା ପରେ ବିଷ ଧର ସାପ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିବା ତାଙ୍କର ନିତି ଦିନିଆ କାମ । ଏଥି ସହ ପରିବାରର ଆର୍ଥିକ ସମସ୍ୟା ମଧ୍ୟ ରହିଛି । ଜଙ୍ଗଲ ବିଭାଗ ଅପେକ୍ଷା ଭଦ୍ରକ ଜିଲ୍ଲାରେ ସାପ ଧରାଳି ଭାବେ ବେଶ ପରିଚିତ ମିର୍ଜା । କେହି ସାପ ଦେଖିଲେ ଫୋନ କଲ୍ କରି ଡାକିଥାନ୍ତି ମିର୍ଜାଙ୍କୁ । ତେବେ ଏତେ ଦିନ ଧରି ଲୋକଙ୍କୁ ସେବା ଯୋଗାଉଥିବା ବେଳେ ବନ ବିଭାଗ କି ପ୍ରଶାସନ ପକ୍ଷରୁ ତାଙ୍କୁ କୌଣସି ସହାୟତା ମିଳୁ ନଥିବା ସେ କହିଛନ୍ତି । ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଏହି ଦମ୍ପତି ସାପ ଧରିବାର କୌଶଳ ଦେଖିବା ସହ ଶିକ୍ଷା ମଧ୍ୟ ନେଉଛନ୍ତି । ବ୍ରିଟେନରେ ପୁଲ୍ କ୍ୟାମିଲ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଛନ୍ତି । ତେବେ ସେ ଇରାକର ସାରାଙ୍କୁ ବିବାହ କରିଛନ୍ତି । ଫଳରେ ସାରା ମଧ୍ୟ ବ୍ରିଟେନର ନାଗରିକତା ଗ୍ରହଣ କରିଥିଲେ । ତେଣୁ ଉଭୟ ଏବେ ବ୍ରିଟେନର ନାଗରିକ ।
ଇଟିଭି ଭାରତ, ଭଦ୍ରକ