ସରିଲା ମଝିଆ ଭଉଣୀ ବାହାଘର, ଦୁର୍ଘଟଣାରେ ଆଖି ବୁଜିଲେ ବଡ ଓ ସାନ ଭଉଣୀ
ବ୍ରହ୍ମପୁର:ସରିଥିଲା ବିବାହ। ଘରକୁ ଫେରୁଥିଲେ କନ୍ୟାପକ୍ଷ। ଆଉ କିଛି ସମୟ ପରେ ଘରେ ପହଞ୍ଚି ଥାନ୍ତେ। କିନ୍ତୁ ବାଟରୁ ଟେକି ନେଲା ଜମ। ଦିଗପହଣ୍ଡିରେ ଯାତ୍ରୀବାହି ବସ ଓ ଓଏସଆରଟିସି ବସ ମୁହାଁମୁହିଁ ଧକ୍କା ହେବାରୁ 11 ଜଣଙ୍କର ମୃତ୍ୟୁ ହୋଇଛି। ସମସ୍ତ ମୃତକ ଖଣ୍ଡଦେଉଳି ଗାଁର ଗୋଟିଏ ପରିବାରର। ଯାହାକୁ ନେଇ ଗ୍ରାମରେ ଶୋକାକୁଳୁ ପରିସ୍ଥିତ ସୃଷ୍ଟି ହୋଇଛି। ପରିଜନଙ୍କୁ ହରାଇ କାନ୍ଦି କାନ୍ଦି ନୟାନ୍ତ ହେଲେଣି ପରିବାର ଲୋକେ। ଛାତି ଫଟାଇ ମାଟିରେ ଲୋଟି ପଡୁଛି ମାଆ । ସାହି ପଡିଶା ସମସ୍ତଙ୍କ ଆଖିରେ ଲୁହ । ମଝିଆ ଭଉଣୀ ବାହାଘର ହସଖୁସିର ଆସରରେ ଯେମିତି କାହା କଳା ନଜର ଲାଗିଗଲା। ଭଉଣୀକୁ ବିଦା କରି ଘରକୁ ଫେରୁଥିବା ବେଳେ ବଡ ଭଉଣୀ ଓ ସାନ ଉଭଣୀଙ୍କ ମୃତ୍ୟୁ ହୋଇଛି। ରବିବାର ବ୍ରହ୍ମପୁରରେ ସୋନାଲିଙ୍କ ସହିତ ଉମେଶଙ୍କ ବିବାହ ହୋଇଥିଲା। ପ୍ରଥମେ ବର ଘର କନ୍ୟା ଘରକୁ ଆସି ବିବାହ ସରିବା ପରେ ଝିଅକୁ ସନ୍ଧ୍ୟାରେ ବିଦା କରାଯାଇଥିଲା। ଏହାପରେ ରାତିରେ କନ୍ୟା ଘର ଲୋକେ ବର ଘରକୁ ଯାଇ ବିଳମ୍ବିତ ରାତିରେ ଫେରୁଥିଲେ । ଏହି ସମୟେ ଦିଗପହଣ୍ଡି ଠାରେ ଯାତ୍ରୀବାହି ବସ ଓ ସରକାରୀ ବସ ମୁହାଁମୁହିଁ ଧକ୍କା ହେବାରୁ 11 ଜଣଙ୍କର ମୃତ୍ୟୁ ହୋଇଥିଲା। ତେବେ ଦୁର୍ଘଟଣା ପୂର୍ବରୁ ବିବାହ ସମୟର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ମଝିଆ ଭଉଣୀର ବାହାଘରକୁ ନେଇ ବଡ ଭଉଣୀ ଓ ସାନ ଉଭଣୀ ବେସ ଖୁସିଥିବା ଦେଖିବାକୁ ମିଳୁଛି।
ଇଟିଭି ଭାରତ, ବ୍ରହ୍ମପୁର