ଓଡ଼ିଶାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ, କାରଣ ଅସ୍ପଷ୍ଟ - ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ
ରାଇରଙ୍ଗପୁର: ଆଜି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ରାଇରଙ୍ଗପୁରର ଦାଣ୍ଡବୋଷ ଗ୍ରାମ ଗସ୍ତରେ ଆସିଥିଲେ । ଅଲଚିକି ଲିପିର ସ୍ରଷ୍ଟା ସ୍ବର୍ଗତ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଥିବାରୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଦାଣ୍ଡବୋଷ କୋପିଡୁଙ୍ଗୁରୀସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠକୁ ଆସିଥିଲେ । ତେବେ ସେଠାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ଥିବା ସ୍ଥାନରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କର ସ୍ମୃତି ଚାରଣ କରିଥିଲେ ହେମନ୍ତ ସୋରେନ । ସେଠାରୁ କାର୍ଯ୍ୟକ୍ରମ ସାରି କପିଡୁଙ୍ଗୁରୀରୁ ଦାଣ୍ଡବୋଷସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପାଇଁ ଯାଉଥିବା ବାଟରେ କିଛି ବ୍ୟକ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ କଳା ପତାକା ପ୍ରଦର୍ଶନ କରିଥିଲେ । ଫଳରେ କିଛି ସମୟ ପାଇଁ ସେଠାରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ କେଉଁ ସଂଗଠନ ପକ୍ଷରୁ କଳା ପତାକା ପ୍ରଦର୍ଶନ କରାଯାଇଥିଲା ଓ କ'ଣ ରହିଥିଲା କାରଣ ତାହା ଅସ୍ପଷ୍ଟ ରହିଛି ।
ଇଟିଭି ଭାରତ, ରାଇରଙ୍ଗପୁର