ସମସ୍ୟା ଘେରରେ ସୋନପୁର ସହର, ପୌର ପରିଷଦ ଘେରାଓ କଲା ବିଜେପି - ପୌର ପରିଷଦ ଘେରାଓ କଲା ବିଜେପି
Published : Nov 23, 2023, 3:29 PM IST
ସୁବର୍ଣ୍ଣପୁର:ବିଭିନ୍ନ ସମସ୍ୟା ନେଇ ସଦର ପୌର ପରିଷଦ ଆଗରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ । ବିଜେପି ଜିଲ୍ଲାସଭାପତି ପ୍ରମୋଦ ମହାପାତ୍ରଙ୍କ ନେତୃତ୍ବରେ ଆଜି ଶତାଧିକ ବିଜେପି କର୍ମୀ ବିକ୍ଷୋଭରେ ସାମିଲ ହୋଇଛନ୍ତି । ସଦର ପୌର ପରିଷଦ ସହରବାସୀଙ୍କ ପାଇଁ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ପାରୁନ ଥିବା ଅଭିଯୋଗ କରିଛନ୍ତି ବିକ୍ଷୋଭକାରୀ । ଏପରିକି ସହରବାସୀଙ୍କ ସର୍ବନିମ୍ନ ମୌଳିକ ସୁବିଧା ଯୋଗାଇ ପାରୁ ନ ଥିବା ବେଳେ ଠିକାଦାର ପୋଷଣ ନୀତିରେ ପୌର ପରିଷଦ କର୍ତ୍ତୃପକ୍ଷ କାର୍ଯ୍ୟ କରୁଛନ୍ତି । ପାନୀୟ ଜଳ, ପ୍ରତି ୱାର୍ଡ ପାଇଁ ଷ୍ଟ୍ରିଟ ଲାଇଟ, ଡ୍ରେନେଜ ବ୍ୟବସ୍ଥା ଆଦି କାର୍ଯ୍ୟରେ ଅହେତୁକ ଅବହେଳା କରାଯାଉଛି । ବର୍ଜ୍ୟବସ୍ତୁ ପରିଚାଳନାରେ ସଦର ପୌର ପରିଷଦ ଫେଲ ମାରିଥିବା ବେଳେ ମୃତଦେହ ସତ୍କାର ପାଇଁ କାଠ ବି ଯୋଗାଇ ଦିଆଯାଉନଥିବା ଅଭିଯୋଗ କରିଛି ବିଜେପି ।
ଦୀର୍ଘ ଦିନରୁ ରାମେଶ୍ବର ଘାଟ ଓ ଗୋକର୍ଣ୍ଣେଶ୍ବର ଘାଟରେ ମୃତଦେହ ସଂସ୍କାର ପାଇଁ ବିଦ୍ୟୁତ ଚୁଲାର ବ୍ୟବସ୍ଥା ବି କରାଯାଇ ପାରୁନାହିଁ । ସେହିପରି ବେକାର ଯୁବକ ଯୁବତୀମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଆବଶ୍ୟକ ତାଲିମ ବ୍ୟବସ୍ଥା ,ବ୍ୟାଙ୍କ ସହିତ ସଂଯୋଗ ତଥା ଦୋକାନ ଓ ଭେଣ୍ଡିଂ ଜୋନ ନିର୍ମାଣ କରାଯାଇ ପାରୁନାହିଁ । ପୌର ପରିଷଦ କର୍ତ୍ତୃପକ୍ଷ ଦୁର୍ନୀତିରେ ବୁଡି ରହୁଥିବା ବେଳେ ସହରତଳି ଅଞ୍ଚଳରେ ବସବାସ କରୁଥିବା ପରିବାରମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଉ ନାହିଁ । ପୌର ପରିଷଦକୁ ଆସୁଥିବା ପ୍ରଧାନମନ୍ତ୍ରୀ ଆବାସ ଗୃହ ହିତାଧିକାରୀମାନଙ୍କ ଭିତରେ ବଣ୍ଟାନ କରାନଯିବାରୁ ସରକାରୀ ଅନୁଦାନ ଫେରି ଯାଉଥିବା ବିଜେପି ଅଭିଯୋଗ କରିଛି ।
ଏହା ମଧ୍ୟ ପଢନ୍ତୁ-ସରକାରୀ ଯୋଜନା ବାଟ ମାରଣା ଅଭିଯୋଗ, ବ୍ଲକ କାର୍ଯ୍ୟାଳୟ ଘେରାଉ କଲା ବିଜେପି
ସଦର ପୌର ପରିଷଦ ଏକ ବ୍ୟବସାୟୀକ ପ୍ରତିଷ୍ଠାନରେ ପରିଣତ ହୋଇଛି । ଏହି ଐତିହାସୀକ ସହରର ପର୍ଯ୍ୟଟନ ପୀଠର ଉନ୍ନତିକରଣ ସହିତ ସହରବାସୀଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ସୁଯୋଗ ପ୍ରଦାନ ଦାବିରେ ଏହି ଆନ୍ଦୋଳନ କରାଯାଇଛି ବୋଲି ବିଜେପି ଜିଲ୍ଲା ସଭାପତି କହିଛନ୍ତି । ପୌର ପରିଷଦ କର୍ତ୍ତୃପକ୍ଷ ସମ୍ବେଦନଶୀଳ ହୋଇ କାର୍ଯ୍ୟ ନ କଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ବିଜେପି ଚେତାବନୀ ଦେଇଛନ୍ତି ।
ଇଟିଭି ଭାରତ,ସୋନପୁର