ମହିଳାଙ୍କୁ ଉଲଗ୍ନ କରି ପରେଡକୁ ନେଇ ପ୍ରତିବାଦ, ବେଙ୍ଗାଲୁରୁରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ - ବେଲଗାଭି
Published : Dec 16, 2023, 12:59 PM IST
ବେଙ୍ଗାଲୁରୁ: ବେଲଗାଭିରେ ଜଣେ ମହିଳାଙ୍କୁ ନିର୍ଯାତନା ମାମଲାରେ ରାସ୍ତାକୁ ଓହ୍ଲାଇଛି କର୍ଣ୍ଣାଟକ ବିଜେପି ମହିଳା ମୋର୍ଚ୍ଚା । ବିଜେପି ମହିଳାମୋର୍ଚ୍ଚା କର୍ମୀମାନେ ଆଜି ବେଙ୍ଗାଳୁରୁରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରାଜ୍ୟରେ କଂଗ୍ରେସ ସରକାର ବିରୋଧରେ ବିଷ ଉଗାଳିଛନ୍ତି । ରାଜ୍ୟ ସରକାର ମହିଳାମାନଙ୍କୁ ସୁରକ୍ଷା ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛି ବିଜେପି । ବିଜେପି ମହିଳା କର୍ମୀମାନେ ଆଜି ସକାଳେ ବେଙ୍ଗାଲୁରୁରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ, ପୋଲିସ ସେମାନଙ୍କୁ ଅଟକ ରଖିଛି । ସେପଟେ ବେଲଗାଭିରେ ବିଜେପି ମହିଳା ମୋର୍ଚ୍ଚାର ଗୁରୁତ୍ବପୂର୍ଣ୍ଣ ବୈଠକ ବସି ଘଟଣା ସଂପର୍କରେ ତଥ୍ୟ ସଂଗ୍ରହ କରାଯାଇଛି । ବୈଠକରେ ଯୋଗ ଦେଇଛନ୍ତି ବିଜେପି ମହିଳା ସାଂସଦ ଅପରାଜିତା ଷଡ଼ଙ୍ଗୀ, ସୁନୀତା ଦୁଗଲ, ଲୋକେଟ ଚାଟାର୍ଜୀ, ରଞ୍ଜିତା କୋଲି ଏବଂ ଆଶା ଲାକ୍ରା । ବିଜେପିର ଅଭିଯୋଗ, ବେଲଗାଭି ଜିଲ୍ଲା ଭନ୍ତାମୁରୀରେ ଗତ ୧୧ ତାରିଖରେ ଜଣେ ମହିଳାଙ୍କ ସହ ଅଶୋଭନୀୟ ବ୍ୟବହାର କରାଯାଇଥିଲା । ମହିଳାଙ୍କ ପୁଅ ଜଣେ ଝିଅକୁ ନେଇ ଲୁଚି ପଳାଇଥିବା ବେଳେ, ଗାଁ ଲୋକେ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଯାଇବା ସହ ବିଦ୍ୟୁତ ଖୁଣ୍ଟିରେ ବାନ୍ଧି ନିର୍ଯାତନା ଦେଇଥିଲେ । ଏଭଳି ଘଟଣାକୁ କଡ଼ା ସ୍ବରରେ ନିନ୍ଦା କରିଛି ବିଜେପି ମହିଳା ମୋର୍ଚ୍ଚା ।
ଏହା ମଧ୍ୟ ପଢନ୍ତୁ:West Bengal: ଦୁଇ ମହିଳାଙ୍କୁ ଉଲଗ୍ନ କରି ମାଡ, ଭିଡିଓ ଭାଇରାଲ ପରେ ମମତାଙ୍କୁ ଘେରିଲା ବିଜେପି
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ